Low Pressure in Odisha: ଓଡ଼ିଶାରେ ପୁଣି ବର୍ଷା ଆଲର୍ଟ, ୨୩ରୁ ବଢ଼ିବ ବର୍ଷା
ଉତ୍ତର ଆଣ୍ଡାମାନ ସାଗରରେ ଆଜି ଲଘୁଚାପ ଗଠନ ସମ୍ଭାବନା। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବା ସହ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରଵଳରୁ ଅତି ପ୍ରଵଳ ବର୍ଷା ଆଶଙ୍କା।
ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ବର୍ଷା। ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ନଜର ରଖିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା କିଛି ଦିନ ବର୍ଷା ବଢ଼ିପାରେ। ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରଵଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। କୋରାପୁଟ ଓ ମାଲକାନଗିରିରେ ଆସନ୍ତା ବୁଧବାର ପ୍ରଵଳରୁ ଅତି ପ୍ରଵଳ ବର୍ଷା ହୋଇପାରେ। ଏହାସହ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ଗୁରୁବାର ମଧ୍ୟ ପ୍ରଵଳରୁ ଅତି ପ୍ରଵଳ ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବିସ୍ତୃତ ଭାବେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ସୁଦ୍ଧା ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଏହା ପରବର୍ତ୍ତୀ ସମୟରେ ଅବପାତ କିମ୍ବା ଅନ୍ୟ କୌଣସି ଶକ୍ତିଶାଳୀ ପାଣିପାଗ ପ୍ରଣାଳୀରେ ପରିଣତ ହେବ କି ନାହିଁ, ସେନେଇ ଆଇଏମ୍ଡି ପକ୍ଷରୁ ନିଶ୍ଚିତ ଆକଳନ କରାଯାଇନାହିଁ। କିଛି ପାଣିପାଗ ମଡେଲ୍ ଅଧିକ ଶକ୍ତିବୃଦ୍ଧିର ସମ୍ଭାବନା ଦେଖାଉଥିବାରୁ ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖାଯାଉଛି। ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ବର୍ଷା ଓ ପାଣିପାଗ ପରିବର୍ତ୍ତନ ଦୃଷ୍ଟିରୁ ୨୦ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ତେବେ ଲଘୁଚାପକୁ ନେଇ ଏବେଠାରୁ ଭୟଭୀତ ନହେବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଜାରି ରହିଛି। ଆଗାମୀ ଦିନରେ ଲଘୁଚାପର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବା ପରେ ଓଡ଼ିଶାରେ ବର୍ଷାର ପ୍ରଭାବ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।
