ବିନା ଟାହିଆରେ ରଥକୁ ଆସଥିଲେ ମହାପ୍ରଭୁ
ଝିପି ଝିପି ବର୍ଷାରେ ଭକ୍ତ ଓ ଭଗବାନ । ଘଣ୍ଟନାଦରେ ପ୍ରକମ୍ପିତ ବଡ଼ଦାଣ୍ଡ । ରତ୍ନବେଦୀରୁ ରଥ ଅଭିମୁଖେ ଆସିଥିଲେ ଚତୁର୍ଦ୍ଧାଭୂର୍ତ୍ତି । ତେବେ ସବା ଶେଷରେ ବହୁ ବିଳମ୍ବରେ ପହଣ୍ଡି ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ଆଶ୍ଚର୍ଯ୍ୟଜନକ ଭାବରେ ବିନା ଟାହିଆରେ ରଥକୁ ଆସଥିଲେ ମହାପ୍ରଭୁ ।

ଭାବବିହ୍ୱଳ ଲକ୍ଷ ଲକ୍ଷ ଭକ୍ତ। ଝିପି ଝିପି ବର୍ଷାରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଘଣ୍ଟ, କାହାଳୀ, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପୁରୀ ବଡ଼ଦାଣ୍ଡ। ରତ୍ନବେଦୀରୁ ପହଣ୍ଡି ବିଜେ କରି ରଥ ଅଭିମୁଖେ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି। ହେଲେ ଏହି ଆଧ୍ୟାତ୍ମିକ ପରିବେଶ ଭିତରେ ଘଟିଲା ଏକ ଅପ୍ରତ୍ୟାଶିତ ଘଟଣା, ଯାହା ଭକ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥାରୂଢ଼ ହୋଇଥିଲେ। ଶେଷରେ ବହୁ ବିଳମ୍ବରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରିଥିଲେ। କିନ୍ତୁ ସମସ୍ତଙ୍କ ଦୃଷ୍ଟି ଅଟକିଥିଲା ଗୋଟିଏ ଘଟଣାରେ— ବିନା ଟାହିଆରେ ମହାପ୍ରଭୁ ରଥକୁ ଆସିଥିଲେ। କାଳିଆ ଠାକୁରଙ୍କ ଏହି ରୂପ ଦେଖି କୋଟି କୋଟି ଭକ୍ତ ଭାବବିହ୍ୱଳ ହେବା ସହ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସୂଚନା ଅନୁସାରେ, ସାତପାହାଚ ଅତିକ୍ରମ କରିବା ବେଳେ ମହାପ୍ରଭୁଙ୍କ ଟାହିଆ ଲାଗି ଥିଲା। କିନ୍ତୁ ୨୨ ପାହାଚ ଅତିକ୍ରମ କରି ସିଂହଦ୍ୱାର କୁମୁଟ ନିକଟରେ ପହଞ୍ଚିବା ବେଳକୁ ଟାହିଆ ଆଉ ନ ଥିଲା। ଟାହିଆ ବର୍ଷା ଯୋଗୁଁ ଖସିପଡ଼ିଲା କି, ନା ଅନ୍ୟ କୌଣସି କାରଣ ଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଫଳରେ ପହଣ୍ଡିରେ ବିଳମ୍ବ ହୋଇଥିବା କୁହାଯାଉଛି। ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀମାନେ ବିବ୍ରତ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଥିବା ବେଳେ, ସେବାରେ କୌଣସି ତ୍ରୁଟି ଥିଲେ କ୍ଷମା ମାଗିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଥିଲା। ଏହା ସହିତ ଘଣ୍ଟୁଆମାନେ ବାରମ୍ବାର ଘଣ୍ଟ ବନ୍ଦ କରି ଚାଲିଯିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶ୍ନ ଉଠୁଛି, ପାଞ୍ଚ ଦିନ ଆଗରୁ ଲଘୁଚାପ ଜନିତ ବର୍ଷାର ସୂଚନା ଥିଲେ ମଧ୍ୟ ବିକଳ୍ପ ଟାହିଆ କିମ୍ବା ଅନ୍ୟ ବ୍ୟବସ୍ଥା କାହିଁକି କରାଯାଇନଥିଲା? ସୂଚନା ମୁତାବକ, ଟାହିଆ ଖସିଯିବା ପରେ ପ୍ରାୟ ଦୁଇ ଘଣ୍ଟା ଧରି ପୁଣି ଲଗାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା। ଫଳରେ ମହାପ୍ରଭୁ ବିନା ଟାହିଆରେ ରଥାରୂଢ଼ ହୋଇଥିଲେ।
ସାତପାହାଚ ନିକଟରେ ବର୍ଷା ଯୋଗୁଁ ଟାହିଆ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ତାହାକୁ ଖୋଲିବାକୁ ପଡ଼ିଲା। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବା ନଜିର ରହିଛି।" ମହାପ୍ରଭୁ ରଥରେ ବିଜେ କରିବା ପର୍ଯ୍ୟନ୍ତ ଟାହିଆ ରହିବା ପରମ୍ପରା। ଅଧା ବାଟରେ ଟାହିଆ ନ ରହିବାକୁ ଅନେକେ ଅଶୁଭ ସଙ୍କେତ ବୋଲି ମନେ କରନ୍ତି। ପ୍ରଭୁଙ୍କ ଇଚ୍ଛା କ'ଣ, ତାହା ସେ ନିଜେ ହିଁ ଜାଣନ୍ତି।" ଘଟଣାକୁ ନେଇ ଭକ୍ତଙ୍କ ମନରେ ନାନା ପ୍ରଶ୍ନ। କେହି ଏହାକୁ ପ୍ରକୃତିର ପ୍ରଭାବ କହୁଥିବା ବେଳେ, ଆଉ କେହି ପରିଚାଳନାଗତ ତ୍ରୁଟି ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ଘଟଣାର ପ୍ରକୃତ କାରଣ କ'ଣ ଏବଂ ଭବିଷ୍ୟତରେ ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ କେଉଁ ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
