Run For Unity:ଏକତାର ଶପଥ ନେଲା ଓଡ଼ିଶା, ରାସ୍ତାକୁ ଓହ୍ଲାଇଲେ ଶହ ଶହ ଯୁବକ
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା ଦେଶପ୍ରେମର ଅନନ୍ୟ ଝଲକ !

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ସାରା ଦେଶରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏକତାର ବାର୍ତ୍ତା ନେଇ ଆୟୋଜିତ ହୋଇଛି ପଦଯାତ୍ରା ଓ ଗଣଦୌଡ଼। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ବହୁ ଯୁବକ, କ୍ରୀଡ଼ାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସଂକଳ୍ପ ନେଇଥିଲେ।
ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଗଣଦୌଡ଼। ଥାନା ଅଧିକାରୀ ନିରୋଜ କୁମାର ସାମଲ ପଦ୍ମପୁର ଛକଠାରୁ କପାଗଢ଼ିଆ ଛକ ପର୍ଯ୍ୟନ୍ତ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ। ଏଥିରେ ପୋଲିସ କର୍ମଚାରୀଙ୍କ ସହ ବହୁ ଯୁବକ ଉତ୍ସାହର ସହ ଭାଗ ନେଇଥିଲେ।ଅନ୍ୟପଟେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ମଧ୍ୟ ବୈରୀ ଥାନା ପକ୍ଷରୁ ଗଣଦୌଡ଼ ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଯୁବକ ଓ ସାଧାରଣ ଜନତା ସାମିଲ ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ୱାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ ସହ ମିଶ୍ରଣ କରି ଜାତୀୟ ଏକତାକୁ ମଜବୁତ କରିବାରେ ସର୍ଦ୍ଦାର ପଟେଲଙ୍କ ଐତିହାସିକ ଅବଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ଏକତା, ଶୃଙ୍ଖଳା ଓ ଦେଶପ୍ରେମର ବାର୍ତ୍ତା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ।
