Weather Update: ଓଡ଼ିଶାରେ ବର୍ଷାର ପ୍ରକୋପ, ୩୦ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ
ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ବାଲେଶ୍ୱରରେ ସର୍ବାଧିକ ୧୪୫ ମିମି ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ୩୧ ସୁଦ୍ଧା ଅବପାତ ସମ୍ଭାବନା। ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା।

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ୨୬ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହୋଇଛି। ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ଦୁଇଦିନ ପରେ ଅବପାତଟି ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ମୁହାଁ ହେବା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିପାରେ। ଆସନ୍ତା ୧ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨ ତାରିଖରେ ମଧ୍ୟ ସମାନ ପାଣିପାଗ ସ୍ଥିତି ରହିବା ସମ୍ଭାବନା ରହିଛି। ବିଶେଷ କରି ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହିସବୁ ଅଞ୍ଚଳ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
