Cyclone Aftermath: ବାତ୍ୟାରେ ଛାରଖାର ଆସିକା, ଏବେ ଆକ୍ସନ୍ ମୋଡ୍ରେ ପ୍ରଶାସନ
ଅନ୍ଧାର, ପାଣି ସଙ୍କଟ ଓ ଯାତାୟାତ ସମସ୍ୟା ମଧ୍ୟରେ ଜୋରଦାର ହେଲା ପ୍ରଶାସନର ଆକ୍ସନ୍! ଆଗାମୀ ୭ ଦିନ ଚାଲିବ ରିଲିଫ୍ ଅଭିଯାନ। ଆସିକାକୁ ନେଇ ପ୍ରଶାସନର ବଡ଼ ଯୋଜନା !

ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରଭାବରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଆସିକାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆଜି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ସମନ୍ୱିତ ପଦକ୍ଷେପ ଯୋଗୁଁ ଅଞ୍ଚଳରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୀର୍ତ୍ତି ଭାସନ୍ ଭି.।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆସିକାରେ ଟ୍ରାଫିକ୍ ସମସ୍ୟାରେ ଉଲ୍ଲେଖନୀୟ ସୁଧାର ଆସିଛି। ରିଲିଫ୍ କାର୍ଯ୍ୟର ସୁପରିଚାଳନା ଏବଂ ଯାନବାହନ ଚଳାଚଳ ପାଇଁ ଅଧିକ ସ୍ଥାନ ଉପଲବ୍ଧ କରାଇବା ଲକ୍ଷ୍ୟରେ ପାର୍କିଂ ହୋଇ ରହିଥିବା ଭାରୀଯାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ରିଲିଫ୍ ସାମଗ୍ରୀ ବଣ୍ଟନ ପାଇଁ ଗତ ସନ୍ଧ୍ୟାଠାରୁ ୨୦ଟି ଅଟୋ ଓ ୧୦ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି।ସେହିପରି ଅଧିକାଂଶ ବସ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଅବଶିଷ୍ଟ ବସ୍ଗୁଡ଼ିକର ଚଳାଚଳ ମଧ୍ୟ ଶୀଘ୍ର ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଛି। ସନ୍ଧ୍ୟା ସମୟରେ ଯାତାୟାତ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।
ପାନୀୟ ଜଳ ସଙ୍କଟ ଦୂର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୧୦ଟି ଜଳ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ ସହ ପ୍ରାୟ ୩୦ ହଜାର ପାଣି ବୋତଲ ବଣ୍ଟନ କରାଯାଇଛି। ଆଜିଠାରୁ ଏହି ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇ ୩୦ରୁ ୩୫ଟି ଟ୍ୟାଙ୍କର ନିୟୋଜିତ କରିବାକୁ ଯୋଜନା ରହିଛି। ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ଆସ୍କା ଲାଇଟ୍ ସ୍ଥାପନ କରାଯାଇଛି। ଏଥିସହ ଆବଶ୍ୟକ ସମୟରେ ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସ୍ଥାନୀୟ ଏମ୍.ଆଇ.ଙ୍କ ନିକଟରେ ଇନ୍ଧନ ମହଜୁଦ ରଖାଯାଇଛି। ଅନ୍ୟପକ୍ଷରେ ଦିନସାରା ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ ବଣ୍ଟନ ଜାରି ରହିଛି।
ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଦିଗରେ ମଧ୍ୟ ପଦକ୍ଷେପ ଜାରି ରହିଛି। ଶନିବାର ସକାଳ ସୁଦ୍ଧା ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯିବ ବୋଲି ଟିପିଏସ୍ଓଡିଏଲ୍ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।ଆଜି ଏହି ସମସ୍ତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି), ଗଞ୍ଜାମ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହ ନିୟମିତ ଯୋଗାଯୋଗ ଓ ସମନ୍ୱୟ ରକ୍ଷା କରି ସେ ସ୍ଥିତିର ସମୀକ୍ଷା କରୁଛନ୍ତି।
ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆସିକାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ, କିମ୍ବା ଅତି କମ୍ରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରହିବ। ଯାତାୟାତ ବ୍ୟବସ୍ଥାରେ ସୁଧାର, ପାନୀୟ ଜଳ ଯୋଗାଣ ବୃଦ୍ଧି, ରନ୍ଧା ଖାଦ୍ୟ ବଣ୍ଟନ ଓ ବିଦ୍ୟୁତ୍ ପୁନଃସଂଯୋଗକୁ ପ୍ରାଥମିକତା ଦିଆଯାଉଛି। ଫଳରେ ଆଜି ମଧ୍ୟରେ ଆସିକାର ସ୍ଥିତିରେ ଆହୁରି ଉଲ୍ଲେଖନୀୟ ସୁଧାର ଆସିବ ବୋଲି ଜିଲ୍ଲା ପ୍ରଶାସନ ଆଶାବାଦୀ ରହିଛି।
