Pension Plight:୩ ମାସ ହେଲା ମିଳୁନି ଭତ୍ତା, ହନ୍ତସନ୍ତ ୧୮ ହଜାରରୁ ଅଧିକ ହିତାଧିକାରୀ
ନବରଙ୍ଗପୁର ଜିଲ୍ଲାରେ ୩ ମାସ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ ୧୮,୮୧୨ ହିତାଧିକାରୀ। ଭତ୍ତା ନମିଳିବାରୁ ଦୁର୍ଦ୍ଦଶାରେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ।
ନବରଙ୍ଗପୁର: ଭତ୍ତା ଅପେକ୍ଷାରେ ବିତୁଛି ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଦିନ। ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୩ ମାସ ହେଲା ମିଳିନି ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା। ଫଳରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ୍ର ୧୮ ହଜାର ୮୧୨ ଜଣ ହିତାଧିକାରୀ ଘୋର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଭତ୍ତା ନମିଳିବାରୁ ଅନେକଙ୍କ ଦୈନନ୍ଦିନ ଜୀବନ ଦୁର୍ବିଷହ ହୋଇପଡ଼ିଛି। ସୂଚନା ଅନୁଯାୟୀ, ଜିଲ୍ଲାର ଅନେକ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ପୂର୍ବରୁ ନିୟମିତ ଭାବେ ଭତ୍ତା ପାଉଥିଲେ। କିନ୍ତୁ ଗତ ତିନି ମାସ ହେଲା ମିଳୁନି ଭତ୍ତା ଟଙ୍କା । ଫଳରେ ଔଷଧ କିଣିବାଠାରୁ ଆରମ୍ଭ କରି ଦୈନନ୍ଦିନ ଖାଦ୍ୟପେୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଭତ୍ତା ପାଇଁ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି ହିତାଧିକାରୀ। ସରକାରୀ ତଥ୍ୟ ଅନୁସାରେ, ରାଇଘର ବ୍ଲକ୍ରେ ସର୍ବାଧିକ ୩,୩୬୬ ଜଣ ଭତ୍ତାରୁ ବଞ୍ଚିତ ହୋଇଥିବାବେଳେ ଝରିଗାଁରେ ୨,୮୨୪, କୋଷାଗୁମୁଡ଼ାରେ ୨,୪୬୮, ଉମରକୋଟରେ ୨,୩୭୦, ତେନ୍ତୁଳିଖୁଣ୍ଟିରେ ୨,୧୪୨, ନବରଙ୍ଗପୁରରେ ୧,୭୭୫, ଡାବୁଗାଁରେ ୧,୩୭୯, ଚନ୍ଦାହାଣ୍ଡିରେ ୧,୨୩୧, ନନ୍ଦାହାଣ୍ଡିରେ ୧,୦୯୬ ଏବଂ ପାପଡ଼ାହାଣ୍ଡିରେ ୧୬୧ ଜଣ ଭତ୍ତା ପାଇନାହାନ୍ତି। ଏପରି ସ୍ଥିତିରେ ଖୋଦ୍ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ବାଚନମଣ୍ଡଳୀ ରାଇଘରରେ ହିତାଧିକାରୀମାନେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ନଭେମ୍ବର ମାସରେ ଭତ୍ତା ମିଳିବ ବୋଲି ବ୍ଲକ୍ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ।
ଅନ୍ୟପକ୍ଷରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗ ସହ ଯୋଗାଯୋଗ କରାଯାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଲିଙ୍କ୍ ଯାଞ୍ଚ କରାଯାଉଛି। ଖୁବ୍ଶୀଘ୍ର ଭତ୍ତା ମିଳିବ। ତେବେ ପ୍ରଶାସନର ଯାଞ୍ଚ ଓ ପ୍ରତିଶ୍ରୁତି ଭିତରେ କେବେ ହିତାଧିକାରୀଙ୍କ ହାତକୁ ଭତ୍ତା ଟଙ୍କା ଆସୁଛି, ତାହାକୁ ଅପେକ୍ଷା।
