Odisha on Alert : ମାଟି ତଳେ ଜୀବନ ଖୋଜିବ ସ୍ୱତନ୍ତ୍ର ସେନ୍ସର
ଭୂସ୍ଖଳନରେ ନିଖୋଜଙ୍କୁ ଖୋଜିବ ଅତ୍ୟାଧୁନିକ ସେନ୍ସର! ଜି. ଉଦୟଗିରିରେ ଉଦ୍ଧାର କାର୍ଯ୍ୟ ଜୋରଦାର।

ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଭୂସ୍ଖଳନ ସ୍ଥିତି ଓ ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆକ୍ସନ ମୋଡ୍ରେ ରାଜ୍ୟ ସରକାର। ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ନିଖୋଜଙ୍କ ସନ୍ଧାନ ଓ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ମାଟି ତଳେ ଜୀବନ ଖୋଜିବ ଅତ୍ୟାଧୁନିକ ସେନ୍ସର
ଜି. ଉଦୟଗିରି ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ଭାରତୀୟ ନୌସେନାର ଅତ୍ୟାଧୁନିକ 'ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍' ନିୟୋଜିତ କରାଯିବ। ହେଲିକପ୍ଟର ଯୋଗେ ଏହି ଯନ୍ତ୍ରପାତି ଘଟଣାସ୍ଥଳକୁ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏହାର ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ପ୍ରଯୁକ୍ତି ଦ୍ୱାରା ମାଟି, ପଙ୍କ ଓ ଭଗ୍ନାବଶେଷ ତଳେ ଥିବା ଜୀବନର ସଙ୍କେତ ଚିହ୍ନଟ କରାଯାଇପାରିବ।
ଉଦ୍ଧାର କାର୍ଯ୍ୟରେ ରେଳବାଇର ସହଯୋଗ
ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ରେଳବାଇର 'ଚେନ୍ ପୁଲି ସିଷ୍ଟମ୍' ବ୍ୟବହାର କରାଯିବ। ଏଥିପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି। ଇଷ୍ଟ କୋଷ୍ଟ ରେଳୱେ ପକ୍ଷରୁ ଏହି ବ୍ୟବସ୍ଥାକୁ ତୁରନ୍ତ ଘଟଣାସ୍ଥଳକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ NDRF, ODRAF, ଅଗ୍ନିଶମ ବାହିନୀ ଓ SOG ଟିମ୍ ମିଳିତ ଭାବେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।
ଆଗାମୀ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଔଷଧ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସ୍ୱାଭାବିକ ହେବ ବିଦ୍ୟୁତ୍ ଓ ଜରୁରୀ ସେବା
ବାତ୍ୟା 'ଅର୍ଣ୍ଣବ' ଯୋଗୁଁ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ, ରାସ୍ତାଘାଟ ଓ ଅନ୍ୟାନ୍ୟ ଜରୁରୀ ସେବାକୁ ଶୀଘ୍ର ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ କୁହାଯାଇଛି।
ଭ୍ରମାତ୍ମକ ଖବର ରୋକିବାକୁ ନିର୍ଦ୍ଦେଶ
ବିପର୍ଯ୍ୟୟ ସମୟରେ ଗଣମାଧ୍ୟମକୁ ସଠିକ୍ ଓ ଅଧିକାରିକ ତଥ୍ୟ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସୂତ୍ରରୁ ଆସୁଥିବା ଖବରର ଯାଞ୍ଚ କରିବା ସହ ଗୁଜବ ଓ ଭ୍ରମାତ୍ମକ ସୂଚନା ରୋକିବାକୁ ପ୍ରଶାସନକୁ କୁହାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, SRC ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
