Lalbaugcha Raja:ଲାଲବାଗଚା ରାଜା ବିଦାୟ ବେଳେ ଗୋଲାପୀ ମୁମ୍ବାଇ ରାସ୍ତା
ଗୁଲାଲରେ ରଙ୍ଗିଲା ମୁମ୍ବାଇ ରାସ୍ତା ଆଉ ମୁହଁରେ ‘ଗଣପତି ବାପ୍ପା ମୋରିୟା’ ଧ୍ୱନି | ଭକ୍ତଙ୍କ ଭିଡ଼ରୁ ଆରବ ସାଗର,୧୦ ଦିନର ଗଣେଶୋତ୍ସବର ଅନ୍ତିମ ଯାତ୍ରାରେ ଚୌପାଟିରେ ପହଞ୍ଚିଲେ ଲାଲବାଗଚା ରାଜା |
ମୁମ୍ବାଇ: ଢୋଲ-ନାଗାରା, ଗୁଲାଲ ଓ ‘ଗଣପତି ବାପ୍ପା ମୋରିୟା’ ଧ୍ୱନିରେ ମୁମ୍ବାଇ ରାସ୍ତା ଉତ୍ସବମୁଖର। ନଅ ଦଶନ୍ଧିରୁ ଅଧିକ ପୁରୁଣା ପରମ୍ପରା, କୋଟି କୋଟି ଆସ୍ଥା ଓ ହଜାର ହଜାର ଭକ୍ତଙ୍କ ଭିଡ଼ ରେ ଲାଲବାଗଚା ରାଜାଙ୍କ ବିସର୍ଜନ ଯାତ୍ରା ଦେଖି ଭାବବିହ୍ୱଳ ମୁମ୍ବାଇ ବାସୀ | ୨୦୨୬ରେ ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଥିବା ବେଳେ ୧୦ ଦିନିଆ ଗଣେଶୋତ୍ସବ ଅନନ୍ତ ଚତୁର୍ଦ୍ଦଶୀ ସହ ଶେଷ ହେଇଛି । ଶୁକ୍ରବାର ଅନନ୍ତ ଚତୁର୍ଦ୍ଦଶୀ ପାଳନ ପରେ ଶନିବାର ଲାଲବାଗଚା ରାଜାଙ୍କ ବିଶାଳ ମୂର୍ତ୍ତି ଗିରଗାଓଁ ଚୌପାଟି ଅଭିମୁଖେ ଆଗେଇଥିଲା। ଭକ୍ତମାନେ ଯାତ୍ରାରେ ସାମିଲ ହୋଇ ନାଚିବା ସହ ପରସ୍ପରକୁ ଗୁଲାଲ ଲଗାଇଥିଲେ, ମୂର୍ତ୍ତି ସହ ମୁମ୍ବାଇର ରାସ୍ତା ବି ଗୋଲାପୀ ଗୁଲାଲରେ ରଙ୍ଗିତ ହେଇଯାଇଥିଲା | ଲାଲବାଗଚା ରାଜାଙ୍କ ଗିରଗାଓଁ ଚୌପାଟି ପହଞ୍ଚିବା ବିସର୍ଜନ ପ୍ରକ୍ରିୟାର ଏକ ପ୍ରମୁଖ ପର୍ଯ୍ୟାୟ। ଏଠାରେ ଅନ୍ତିମ ପୂଜା ଓ ବିଦାୟ ରୀତି ପରେ ମୂର୍ତ୍ତିକୁ ଆରବ ସାଗରରେ ବିସର୍ଜନ କରାଯିବାର ନିୟମ ରହିଛି | ଲାଲବାଗଚା ରାଜାଙ୍କ ବିସର୍ଜନ ଯାତ୍ରା ଏହାର ବିଶାଳତା ଓ ଦୀର୍ଘ ସମୟ ପାଇଁ ପରିଚିତ। ଏଥର ମଧ୍ୟ ଲାଲବାଗଚା ରାଜାଙ୍କ ଅନ୍ତିମ ଯାତ୍ରାକୁ ନେଇ ମୁମ୍ବାଇରେ ବ୍ୟାପକ ଭକ୍ତ ସମାଗମ ଦେଖିବାକୁ ମିଳିଛି।
