ବାଉଁଶରେ ଟଣାଯାଏ କୁକୁରଜଙ୍ଘାର ବିଶାଳ ରଥ
କୁକୁରଜଙ୍ଘାରେ ଘୋଷଯାତ୍ରା ପ୍ରସ୍ତୁତି। ଅନନ୍ୟ ପରମ୍ପରାରେ ବାଉଁଶ ସାହାଯ୍ୟରେ ଟଣାଯିବ ରଥ। ୧୬ ଚକ ବିଶିଷ୍ଟ ୪୫ ଫୁଟ ଉଚ୍ଚ ରଥ ପ୍ରସ୍ତୁତ, ଘୋଷଯାତ୍ରାକୁ ନେଇ ଭକ୍ତଙ୍କ ଉତ୍ସାହ।
କୁକୁରଜଙ୍ଘା: ଝାରସୁଗୁଡା ସହର ଉପକଣ୍ଠ କୁକୁରଜଙ୍ଘା ସ୍ଥିତ ଶ୍ରୀ ପତିତପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷର ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୪୫ ଫୁଟ ଉଚ୍ଚ ଓ ୧୬ ଚକ ବିଶିଷ୍ଟ ବିଶାଳ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଏହାର ଅନନ୍ୟ ପରମ୍ପରା ଶ୍ରଦ୍ଧାଳୁଙ୍କ ମଧ୍ୟରେ ସ୍ୱତନ୍ତ୍ର ଆକର୍ଷଣ ସୃଷ୍ଟି କରିଛି। କୁକୁରଜଙ୍ଘାରେ ୧୨୧୫ ଖ୍ରୀଷ୍ଟାବ୍ଦରେ ମହାରାଜ ମଧୁସୂଦନ ସିଂହ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପନ କରିଥିଲେ। ସ୍ଥାନୀୟ ପରମ୍ପରା ଅନୁଯାୟୀ, ଏଠାର ୪୫ ଫୁଟ ଉଚ୍ଚ ଓ ୧୬ ଚକ ବିଶିଷ୍ଟ ରଥକୁ ବିଶ୍ୱର ତୃତୀୟ ବୃହତ୍ତମ ରଥ ବୋଲି କୁହାଯାଏ। ପ୍ରାୟ ୧୫ ଜଣ ଅଭିଜ୍ଞ ବଢ଼େଇ ରଥ ନିର୍ମାଣରେ ନିୟୋଜିତ ଥିବା ବେଳେ ଚକ, ଅଖ ଓ କାରୁକାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀର ନନ୍ଦିଘୋଷ ରଥ ଆଦର୍ଶରେ ନିର୍ମିତ ଏହି ରଥ ଘୋଷଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି।
କୁକୁରଜଙ୍ଘା ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତା ହେଉଛି ରଥ ଟାଣିବାର ଅନନ୍ୟ ପରମ୍ପରା। ଅନ୍ୟତ୍ର ରଥକୁ ଦଉଡ଼ି ସାହାଯ୍ୟରେ ଟଣାଯାଉଥିବା ବେଳେ, ଏଠାରେ ଚାରିଟି ଶକ୍ତ ବାଉଁଶ ସାହାଯ୍ୟରେ ଭକ୍ତମାନେ ରଥକୁ ଆଗକୁ ନେଇଥାନ୍ତି। ଲୋକକଥା ଅନୁଯାୟୀ, ଅତୀତରେ ଥରେ ଗ୍ରାମବାସୀମାନେ ମହାପ୍ରଭୁଙ୍କ ଏହି ରଥକୁ ଦଉଡ଼ି ଦ୍ଵାରା ଟାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ରଥ ଇଞ୍ଚେ ହେଲେ ବି ଆଗକୁ ଘୁଞ୍ଚି ନଥିଲା। ସେହି ଅଲୌକିକ ଘଟଣା ପରଠାରୁ ଏଠାରେ ବାଉଁଶ ଦ୍ଵାରା ରଥ ଟାଣିବାର ଏକ ଅନନ୍ୟ ଓ ଅପୂର୍ବ ପରମ୍ପରା ସୃଷ୍ଟି ହୋଇଛି, ଯାହା ଆଜି ପର୍ଯ୍ୟନ୍ତ ବେଶ୍ ନିଷ୍ଠାର ସହ ପାଳିତ ହୋଇଆସୁଛି। ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ଯାତ୍ରା, ହେରାପଞ୍ଚମୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ସମେତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି।
ଅନନ୍ୟ ପରମ୍ପରା, ବିଶାଳ ରଥ ଏବଂ ଧାର୍ମିକ ଆସ୍ଥାର ସମନ୍ୱୟରେ କୁକୁରଜଙ୍ଘାର ଘୋଷଯାତ୍ରା ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଭକ୍ତ ଏଠାକୁ ଆସିଥାନ୍ତି । ଅନ୍ୟପଟେ, ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କ ସମାଗମକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
