Chicken Farm: କୁକୁଡ଼ା ଫାର୍ମ ବିବାଦ; ହାଇକୋର୍ଟ ପହଞ୍ଚିଲା ମାମଲା
ଗାଁ ଚାରିପଟେ ୬ କୁକୁଡ଼ା ଫାର୍ମକୁ ନେଇ ଅସନ୍ତୋଷ। ଦୁର୍ଗନ୍ଧ ଓ ଦୂଷିତ ପାଣି ନେଇ ସୁରୁବଣ ଭୁଶୁକା ଗ୍ରାମବାସୀଙ୍କ ଅଭିଯୋଗ। ହାଇକୋର୍ଟ ନିର୍ଦ୍ଦେଶ ପରେ ପ୍ରଶାସନର ସରଜମିନ ତଦନ୍ତ।
ଭଣ୍ଡାରିପୋଖରୀ: ଗାଁଟି ଛୋଟିଆ, ହେଲେ ସମସ୍ୟା ବଡ଼। ଗାଁ ଚାରିପଟେ ଗଢ଼ି ଉଠିଥିବା କୁକୁଡ଼ା ଫାର୍ମକୁ ନେଇ ଏବେ ଅସନ୍ତୋଷରେ ଗ୍ରାମବାସୀ। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି ଅଭିଯୋଗ। ଘଟଣାଟି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ରହଣିଆ ପଞ୍ଚାୟତର ସୁରୁବଣ ଭୁଶୁକା ଗାଁର। ପ୍ରାୟ ୨୫୦ରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁର ଚାରିପଟେ ଗୋଟିଏ କି ଦୁଇଟି ନୁହେଁ, ମୋଟ ୬ଟି କୁକୁଡ଼ା ଫାର୍ମ ଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଗାଁଠାରୁ ମାତ୍ର ୫୦ରୁ ୬୦ ମିଟର ଦୂରରେ ଏହି ଫାର୍ମଗୁଡ଼ିକ ନିର୍ମାଣ ହୋଇଛି। ପ୍ରଥମେ ଗୋଟିଏ କୁକୁଡ଼ା ଫାର୍ମ ନିର୍ମାଣ ସମୟରେ ଗ୍ରାମବାସୀ ବିରୋଧ କରିବା ସହ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ୫ଟି ଫାର୍ମ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରୁ ୨ଟି ଫାର୍ମ ଚାଲୁଥିବା ବେଳେ ଅନ୍ୟ ୪ଟିର ନିର୍ମାଣ କାମ ଶେଷ ହୋଇଥିବା ଗ୍ରାମବାସୀ କହିଛନ୍ତି। ଫାର୍ମଗୁଡ଼ିକ ଯୋଗୁଁ ଗାଁରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ରହିଛି। ଫାର୍ମରୁ ବାହାରୁଥିବା ପାଣି ଗାଁ ରାସ୍ତା ପାର୍ଶ୍ୱରେ ଥିବା ନାଳକୁ ଛଡ଼ାଯାଉଥିବାରୁ ନାଳର ପାଣି ଦୂଷିତ ହୋଇଥିବା ଗ୍ରାମବାସୀ କହିଛନ୍ତି। ଏପରିକି ଗୋରୁଗାଈ ମଧ୍ୟ ସେହି ପାଣି ପିଇପାରୁନଥିବା ଅଭିଯୋଗ ହୋଇଛି। ଦୁର୍ଗନ୍ଧ ଓ ଦୂଷିତ ପରିବେଶ ଯୋଗୁଁ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଅସୁବିଧାରେ ପଡ଼ୁଥିବା ଗ୍ରାମବାସୀଙ୍କ ଅଭିଯୋଗ। ଏହା ସହ ରାତି ସମୟରେ କୁକୁର ଓ ଶିଆଳ ଫାର୍ମ ଭିତରୁ କୁକୁଡ଼ା ଟାଣି ଆଣି ରାସ୍ତା ଓ ମନ୍ଦିର ନିକଟରେ ପକାଇ ଦେଉଥିବା ମଧ୍ୟ ସେମାନେ କହିଛନ୍ତି। ଫଳରେ ପୂଜାପାଠ ପାଇଁ ମନ୍ଦିରକୁ ଯାଉଥିବା ଲୋକେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। ହେଲେ ସମାଧାନ ନହେବାରୁ ଶେଷରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସେମାନେ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଓ ତାଙ୍କ ଟିମ୍ ସୁରୁବଣ ଭୁଶୁକା ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳର ପରିବେଶ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଗାଁ ଚାରିପଟେ ଥିବା କୁକୁଡ଼ା ଫାର୍ମଗୁଡ଼ିକୁ ତୁରନ୍ତ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ଥିତି ଅନୁଧ୍ୟାନ କରାଯାଇଛି ଏବଂ ସମ୍ପୂର୍ଣ୍ଣ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ କହିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଓ ପ୍ରଶାସନର ତଦନ୍ତ ପରେ କୁକୁଡ଼ା ଫାର୍ମଗୁଡ଼ିକୁ ନେଇ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
