Kotia School: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗଛମୂଳେ ପାଠ ପଢ଼ୁଛନ୍ତି କୁନି କୁନି ପିଲା
୫୦ ବର୍ଷ ହେଲା ଗୋଟିଏ ଶ୍ରେଣୀଗୃହ ଭରସା, ଗଛମୂଳେ ପାଠ ପଢ଼ୁଛନ୍ତି କୋଟିଆର କୁନି କୁନି ପିଲା। ୪୨ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଗୋଟିଏ ଛୋଟ କୋଠରି, ଶିକ୍ଷକ ଅଭାବ ସାଙ୍ଗକୁ ପାଚେରି ଚିନ୍ତା।
କୋରାପୁଟ: କୋଟିଆର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ଓ ପ୍ରତିଶ୍ରୁତି। ହେଲେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର କୁନି କୁନି ପିଲା। କେଉଁଠି ଶ୍ରେଣୀଗୃହ ଭିତରେ ତ ଆଉ କେଉଁଠି ବାରଣ୍ଡା ଓ ଗଛମୂଳେ ଚାଲିଛି ପାଠପଢ଼ା। ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି କୋଟିଆ ପଞ୍ଚାୟତର ବଡ଼ ବାରାବନ୍ଧ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ୧୯୭୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଆଜି ବି ଆବଶ୍ୟକ ଶ୍ରେଣୀଗୃହର ଅଭାବ ପିଲାଙ୍କ ପାଠପଢ଼ାରେ ବାଧକ ସାଜିଛି। ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୨ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ରହିଛି ମାତ୍ର ୧୦/୧୨ ଫୁଟ୍ର ଗୋଟିଏ ଛୋଟ କୋଠରି। ଏହି ସଂକୀର୍ଣ୍ଣ ଘରେ ସମସ୍ତ ପିଲାଙ୍କୁ ବସାଇ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ଫଳରେ କେତେକ ପିଲା ଶ୍ରେଣୀଗୃହ ଭିତରେ ବସୁଥିବା ବେଳେ ଅନ୍ୟମାନେ ବାରଣ୍ଡା ଓ ଗଛମୂଳେ ବସି ପାଠ ପଢ଼ୁଛନ୍ତି। ଶିକ୍ଷାର ମୂଳଦୁଆ ପଡ଼ୁଥିବା ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। କେବଳ ଶ୍ରେଣୀଗୃହ ନୁହେଁ, ଶିକ୍ଷକ ଅଭାବ ମଧ୍ୟ ଶିକ୍ଷାଦାନକୁ ପ୍ରଭାବିତ କରୁଛି।
୪୨ ଜଣ ପିଲାଙ୍କୁ ପଢ଼ାଇବା ପାଇଁ ରହିଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ। ସେଥିମଧ୍ୟରୁ ଜଣେ ଶିକ୍ଷକ ଏସ୍ଆଇଆର୍ ତାଲିମ ପାଇଁ ଯାଇଥିବାରୁ ବର୍ତ୍ତମାନ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ସମସ୍ତ ପିଲାଙ୍କୁ ପଢ଼ାଇବାର ଦାୟିତ୍ୱ ରହିଛି। ଏକାସାଙ୍ଗରେ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି। ଅନ୍ୟପକ୍ଷରେ ବିଦ୍ୟାଳୟ ପାର୍ଶ୍ୱରେ ଖାଲ ଥିବା ବେଳେ ଏଯାଏଁ ପାଚେରି ନିର୍ମାଣ ହୋଇନାହିଁ। ଫଳରେ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବଡ଼ ବାରାବନ୍ଧ, ତଳ ବାରାବନ୍ଧ ଓ ଆଖପାଖ ଗ୍ରାମର ପିଲାଙ୍କ ପାଇଁ ଏହି ବିଦ୍ୟାଳୟ ହିଁ ଶିକ୍ଷାର ପ୍ରମୁଖ ଆଶ୍ରୟସ୍ଥଳ। ହେଲେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ସେମାନେ ଉପଯୁକ୍ତ ପରିବେଶରେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ବିନୋଦ କୁମାର ପାଙ୍ଗି, ଫୁଲମଣି ଗେମେଲଙ୍କ ସମେତ ଗ୍ରାମବାସୀ ଏହି ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଦୁରବସ୍ଥା ସମ୍ପର୍କରେ ବାରମ୍ବାର ବ୍ଲକ୍ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ, ପାଚେରି ବ୍ୟବସ୍ଥା ଓ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ପଟାଙ୍ଗି ବ୍ଲକ୍ ପ୍ରଶାସନକୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ ଖୁବ୍ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ଏହି ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଅଭିଭାବକ ଓ ଗ୍ରାମବାସୀ।
