Koraput-Vigilance-Arrests:ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ କରି ବନ୍ଧା ହେଲେ ପୂର୍ବତନ ପିଇଓ
କୋରାପୁଟ ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ। ନନ୍ଦପୁର ବ୍ଲକ ଖୁର୍ଜି ଗ୍ରାମ ପଞ୍ଚାୟତର ପୂର୍ବତନ PEO ଆଦିତ୍ୟ ଚୋପାଡ଼ିଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ଆତ୍ମସାତ୍ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି।

ଜୟପୁର: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଖୁର୍ଜି ଗ୍ରାମ ପଞ୍ଚାୟତର ପୂର୍ବତନ PEO ଆଦିତ୍ୟ ଚୋପାଡ଼ି। ଭିଜିଲାନ୍ସ ସୂଚନା ଅନୁଯାୟୀ, ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଯୋଗ୍ୟ ବୃଦ୍ଧ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ରହିଛି। ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଆଦିତ୍ୟ ଚୋପାଡ଼ି ଏହି ଅର୍ଥରାଶି ଆତ୍ମସାତ୍ କରିଥିବା ତଦନ୍ତରେ ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ପାଇଁ ଆସିଥିବା ସରକାରୀ ସହାୟତା ଟଙ୍କା ହଡ଼ପ ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ ହୋଇଛି।ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି। ଗିରଫ ଆଦିତ୍ୟ ଚୋପାଡ଼ିଙ୍କୁ ଆଜି କୋର୍ଟରେ ହାଜର କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
