୫ ଲକ୍ଷ ବିବାଦରେ ମାଆକୁ ମାରିଲେ- ଶିଶୁକୁ ନଦୀକୁ ଫିଙ୍ଗିଦେଲେ
ପଇସା ଫେରାଇବା ବାହାନାରେ ସେମାନେ ସାୟମାକୁ ପଂଢରପୁରକୁ ଡାକିଥିଲେ। ସେଠାରେ ମା-ପୁଅକୁ କାରରେ ନେଇଥିଲେ। କାରରେ ଗଲାବେଳେ ସୟମାକୁ ଓଢ଼ଣୀରେ ଗଳା ଚିପି ହତ୍ୟା କରିଦେଲେ। ଆଉ ପୁଣେ ଫେରିବା ରାସ୍ତାରେ ଶିଶୁଟିକୁ ବି ନଦୀର ପ୍ରଖର ସୁଅକୁ ଫିଙ୍ଗିଦେଇଥିଲେ।

୫ଲକ୍ଷ ଟଙ୍କା ପାଇଁ ମାଆକୁ ମର୍ଡର। ୧୪ ମାସର ଶିଶୁକୁ ବି ପିଙ୍ଗିଦେଲା ନଦୀରେ। ଛତ୍ରପତି ସମ୍ଭାଜିନଗରରେ ମା-ପୁଅ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପଇସା ଫେରାଇବା ବାହାନାରେ ଡାକି ଆଗ ମାଆର ଗଳା ଚିପି ହତ୍ୟା କଲା। ଆଉ ପରେ ଦେଢ଼ ବର୍ଷର ଶିଶୁକୁ ଜୀଅନ୍ତା ଅବସ୍ଥାରେ ନଦୀକୁ ଫିଙ୍ଗିଦେଲା। ୫ ଲକ୍ଷ ଟଙ୍କା ଉଦ୍ଧାର ନେଇଥିଲା ହତ୍ୟାକାରୀ। ପଇସା ଫେରାଇବାର ନାଁ ଧରୁନଥିଲା। ହେଲେ ଟଙ୍କା ଫେରାଇଦେବି କହି ବିବାହିତା ୨୬ ବର୍ଷୀୟା ସାୟମା ସଲମାନ ଚୌଧୁରୀଙ୍କୁ ଡାକିଥିଲା ବାହାନାରେ। ଆଉ ମାରିଦେଲା। ଏହି ଡବଲମର୍ଡର ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣା ଏପ୍ରିଲ ପହିଲାର। ଏପ୍ରିଲ ପହିଲାରୁ ସାୟମା ଓ ତାଙ୍କ ୧୪ ମାସର ପୁଅ ସାଜିମ ନିଖୋଜ ଥିଲେ। ଝିଅ ଓ ନାତିର କୌଣସି ଖୋଜଖବର ନ ମିଳିବାରୁ ସାୟମାଙ୍କ ବାପା ଅବଦ୍ଦୁଲ ଲତିକ୍ ଚୌଧୁରୀ ଏମଆଇଡିଇସି ଥାନାରେ ଏତଲା ଦେଇଥିଲେ। ତଦନ୍ତରେ ଏକଥା ବି ସ୍ପଷ୍ଟ ହୋଇଥିଲା, ପୁଣେସ୍ଥିତ ନିଜ ସ୍ୱାମୀଙ୍କ ଘରେ ବି ପହଞ୍ଚିନଥିଲେ ସାୟମା। ଏପ୍ରିଲ ୬ରେ ନାସିକ ଜିଲ୍ଲାର କଣକୋରି ଗାଁରେ ଏକ କୂଅରେ ସୟମାଙ୍କ ଶବ ମିଳିଥିଲା। ଏହା ପରେ ପୁଲିସ ଶବ ଜବତ କରି ତଦନ୍ତ କରିଥିଲା। ସାୟମାଙ୍କ ବ୍ୟାଙ୍କ ଖାତାର ଖୋଳତାଡ଼ କରିଥିଲା ପୁଲିସ। ଏଥିରୁ ସାମ୍ନାକୁ ଆସିଲା ଯେ, ସାୟମାଙ୍କ ଆକାଉଣ୍ଟରୁ ନୁରଜନା ଅହମଦ ଚୌଧୁରୀକୁ ୫୦ହଜାର ଟଙ୍କା ଓ ସଦ୍ଦାମ ଓରଫ ଆମିର ଅହମଦ ଚୌଧୁରୀକୁ ୫ଲକ୍ଷ ଟଙ୍କା ପଠାଯାଇଛି। ଏହି ଆଧାରରେ ଦୁଇ ସନ୍ଦିଗ୍ଧଙ୍କୁ ଜେରା କରିଥିଲା ପୁଲିସ। ଆଉ ଅଭିଯୁକ୍ତମାନେ ସବୁ କଥା ଓଗାଳିଥିଲେ। ପଇସା ଫେରାଇବା ବାହାନାରେ ସେମାନେ ସାୟମାକୁ ପଂଢରପୁରକୁ ଡାକିଥିଲେ। ସେଠାରେ ମା-ପୁଅକୁ କାରରେ ନେଇଥିଲେ। କାରରେ ଗଲାବେଳେ ସୟମାକୁ ଓଢ଼ଣୀରେ ଗଳା ଚିପି ହତ୍ୟା କରିଦେଲେ। ଆଉ ପୁଣେ ଫେରିବା ରାସ୍ତାରେ ଶିଶୁଟିକୁ ବି ନଦୀର ପ୍ରଖର ସୁଅକୁ ଫିଙ୍ଗିଦେଇଥିଲେ।
