ଝିଅର ପ୍ରେମ ପାଇଁ ସ୍ୱାମୀକୁ ମର୍ଡର!
ଝିଅ ଓ ଝିଅର ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା। ଆଉ ଏ ହତ୍ୟାକାଣ୍ଡର ଖୁଲାସା ହୋଇଛି ୪ ମାସ ପରେ। ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ସ୍ୱାମୀ। ସେଥିଲାଗି ଆଗ କ୍ଷୀରରେ ନିଶା ମିଶାଇ ବେହୋସ କରିଦେଲେ। ଆଉ ହେମଦସ୍ତାରେ ମୁଣ୍ଡକୁ ଛେଚି ନିର୍ମମ ହତ୍ୟା କରିଦେଲେ।

ସୋନମ,ମୁସ୍କାନ ଓ ରୁବିଙ୍କର କ୍ରୁରତା କାହାକୁ ବା ଅଜଣା। କେମିତି ନିଜ ପ୍ରେମିକ ସହ ମିଶି ନିର୍ମମ ହତ୍ୟା କରିଥିଲେ। ଆଉ ପ୍ରେମ ଓ ସମ୍ପର୍କର ବିଶ୍ୱାସରେ ବିଷ ଦେଇଥିଲେ, ଯିଏ ଶୁଣୁଥିଲା ତାହାର ଲୋମ ଟାଙ୍କୁଳିଯାଉଥିଲା। ହେଲେ ଏବେ ଏମାନଙ୍କ ନିଷ୍ଠୁରତାକୁ ବି ବଳିଗଲେ ମଥୁରାର ନୈନା। ଇନ୍ଦୋରର ସୋନମ ରଘୁବଂଶୀ, ମିରଟର ମୁସ୍କାନ ଓ ଆଗ୍ରାର ରୁବି ଶର୍ମାଙ୍କ ଭଳି ନାରକୀୟ କାଣ୍ଡ ଭିଆଇଛନ୍ତି ନୈନା। ଝିଅ ଓ ଝିଅର ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା। ଆଉ ଏ ହତ୍ୟାକାଣ୍ଡର ଖୁଲାସା ହୋଇଛି ୪ ମାସ ପରେ। ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ସ୍ୱାମୀ। ସେଥିଲାଗି ଆଗ କ୍ଷୀରରେ ନିଶା ମିଶାଇ ବେହୋସ କରିଦେଲେ। ଆଉ ହେମଦସ୍ତାରେ ମୁଣ୍ଡକୁ ଛେଚି ନିର୍ମମ ହତ୍ୟା କରିଦେଲେ। ହତ୍ୟା ପରେ ଝିଅ ନିଜ ପ୍ରେମିକ ସହ ମିଶି ଶବକୁ କମ୍ୱଳରେ ଘୋଡ଼ାଇ ସ୍କୁଟିରେ ନେଇ ଯମୁନା କୂଳ ଅକ୍ରୁର ଘାଟକୁ ନେଇଥିଲା। ସାକ୍ଷୀ ନଷ୍ଟ କରିବାକୁ ଶବକୁ ଜାଳିଦେଲେ। ହତ୍ୟାକାଣ୍ଡର ଖୁଲାସା ପରେ ଶନିବାର ପୁଲିସ ୩ ଜଣଙ୍କୁ କୋର୍ଟରେ ହାଜର କରିଥିଲା। ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଘଟଣା ଏମିତି। ମନୋଜ ସୋନିଙ୍କ ଏପ୍ରିଲ ୧୮ ତାରିଖ ରାତିରେ ପତ୍ନୀ ନୈନାଙ୍କ ସହ ଝଗଡ଼ା ହୋଇଥିଲା। ଏହା ପରେ ଅଚାନକ ସନ୍ଦିଗ୍ଧ ପରିସ୍ଥିତିରେ ମନୋଜ ନିଖୋଜ ହୋଇଯାଇଥିଲେ। ପତ୍ନୀ ନୈନା ଏପ୍ରିଲ ୨୧ରେ ଗୋବିନ୍ଦନଗର ଥାନାରେ ନିଖୋଜ ଏତଲା ଦେଇଥିଲେ। ହେଲେ କଅଣ ହେଲା କେଜାଣି, ତା ପର ଦିନ ଏହି ଏତଲା ପ୍ରତ୍ୟାହାର କରିନେଲେ। ସାନଭାଇର ଖୋଜଖବର ନ ମିଳିବା ଓ ଭାଇବୋହୂ ଥାନାରୁ ଏତଲା କାହିଁକି ପ୍ରତ୍ୟାହାର କରିନେଲେ ଏ ସନ୍ଦେହରୁ ବଡ଼ ଭାଇ ରାମବାବୁ ମେ ୯ ତାରିଖରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ତାଙ୍କୁ ଠାବ କରୁ ବୋଲି ଦାବି କରିବା ସତ୍ତ୍ୱେ ପୁଲିସ କୌଣସି ସନ୍ତୋଷଜନକ ଆକ୍ସନ ନେଲାନି। ଏପଟେ ଜୁନ୍ ୭ରେ ଘରେ ତାଲା ଲଗାଇ ସାନ ଝିଅ ସହ ନୈନା କୁଆଡ଼େ ଚାଲିଗଲେ। ଘରେ ତାଲା ଲାଗିବା ଦେଖି ପରିଜନ ବି ସନ୍ଦେହରେ ପଡ଼ିଗଲେ। ନ୍ୟାୟ ଲାଗି ଏସପିଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ଅଭିଯୋଗ କଲେ। ଏହା ପରେ ଜୁଲାଇ ୧୧ରେ ପୁଲିସ ଆରମ୍ଭ କରିଥିଲା ବିଧିବଦ୍ଧ ତଦନ୍ତ। ଆଉ ପୁଲିସ ଜେରାରେ ସିନା ନୈନା କିଛି କହିଲେନି। ହେଲେ ତା ବାପା ପଚାରିବାରୁ ସେ ସବୁ ରହସ୍ୟ ଖୋଲିଦେଲେ। ଆଉ ପୁଲିସ ଏ ସୂଚନା ପାଇବା ପରେ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ଯାଏ ଡଗ୍ ସ୍କ୍ୱାର୍ଡ ସହଯୋଗରେ ଶବକୁ ଖୋଜିବାକୁ ସର୍ଚ୍ଚ ଅପରେସନ ଚଳାଇଥିଲା। ଆଉ ଘର ବାହାରେ ନୈନା ମନୋଜର କପଡ଼ା ଓ ଦସ୍ତାବିଜ ଜଳାଇଥିବାର ଅବଶେଷକୁ ପୁଲିସ ଜବତ କରିଛି। ସାକ୍ଷୀ ମିଳିବା ପରେ ଶନିବାର ସଂଧ୍ୟାରେ ୩ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ନୈନାଙ୍କ ଝିଅ ଯାହାକୁ ପ୍ରେମ କରୁଥିଲା, ସେ ଡେଲିଭରି ବୟ ଭାବେ କାମ କରେ। ତାଙ୍କ ନାଁ ବିମଳ ଚୌଧୁରୀ। ଜେସିବି ଜରିଆରେ ଅକ୍ରୁର ଜଙ୍ଗଲରେ ଶବକୁ ଠାବ ଲାଗି ପୁଲିସ ଖୋଳିଥିଲା। ହେଲେ ଏଯାଏଁ ଶବ ପାଇପାରିନି ପୁଲିସ। ଅକ୍ରୁର ଘାଟରୁ କମ୍ୱଳ ଜବତ କରିଛି। ଘର ବାହାରୁ ଇଲେକଟ୍ରିକ୍ ସ୍କୁଟି ସିଜ୍ କରିଛି। ମନୋଜଙ୍କ ବଡ଼ ଭାଇ ଆରୋପ ଲଦିଛନ୍ତି ଯେ, ମଜୋଜଙ୍କ ପତ୍ନୀ ନୈନାଙ୍କ ସହ ଫରିଦାବାଦରେ ଜଣେ ଯୁବକ ସହ ପ୍ରେମସମ୍ପର୍କ ଥିଲା। ହତ୍ୟା କରିବା ପରେ ସାନ ଝିଅକୁ ନେଇ ଫରିଦାବାଦସ୍ଥିତ ନିଜ ପ୍ରେମିକ ପାଖକୁ ଚାଲିଯାଇଥିଲା। ଆଉ ଯାଞ୍ଚରେ ପଦାକୁ ଆସିଛି ଯେ, ସଂପୃକ୍ତ ଯୁବକ ସହ ନୈନାଙ୍କ ବନ୍ଧୁତା ସୋସିଆଲ ମିଡ଼ିଆ ଜରିଆରେ ହୋଇଥିଲା। ଏହା ପରେ ଦୁହେଁ ମୋବାଇଲରେ କଥାବାର୍ତ୍ତା କରି ସମ୍ପର୍କ ବଢ଼ାଇଥିଲେ।
