ଖଡ଼ିଆଳରେ ଚାଷୀଙ୍କ ଆନ୍ଦୋଳନ: ୩୫୩ ନଂ ଜାତୀୟ ରାଜପଥ ଅବରୋଧ
ମଣ୍ଡି ଅବ୍ୟବସ୍ଥା ଏବଂ ଧାନ ଉଠାଣ ନ ହେବାକୁ ନେଇ ଖଡ଼ିଆଳ ଅଞ୍ଚଳରେ ଚାଷୀଙ୍କ ପୁଣି ଅସନ୍ତୋଷ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଛକ ନିକଟରେ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଅଞ୍ଚଳର ଶତାଧିକ ଚାଷୀ ।
ନୂଆପଡ଼ା: ମଣ୍ଡି ଅବ୍ୟବସ୍ଥା ଏବଂ ଧାନ ଉଠାଣ ନ ହେବାକୁ ନେଇ ଖଡ଼ିଆଳ ଅଞ୍ଚଳରେ ଚାଷୀଙ୍କ ପୁଣି ଅସନ୍ତୋଷ । ସୋମବାର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଛକ ନିକଟରେ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଅଞ୍ଚଳର ଶତାଧିକ ଚାଷୀ । ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଖଡ଼ିଆଳ ଧାନ ମଣ୍ଡିରେ ପ୍ରାୟ ୬୦ ହଜାରରୁ ଅଧିକ ଧାନ ବସ୍ତା ଖୋଲା ଆକାଶ ତଳେ ପଡ଼ିରହିଛି। ବର୍ଷାରେ ଭିଜି ହଜାର ହଜାର ଧାନ ବସ୍ତା ଗଜା ହେବାକୁ ବସିଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି । ବାରମ୍ବାର ଅଭିଯୋଗ ଏବଂ ଆନ୍ଦୋଳନ ସତ୍ତ୍ୱେ କୌଣସି ସମସ୍ୟାର ସମାଧାନ ନ ହେବାରୁ ସେମାନେ ରାସ୍ତାକୁ ଓଲ୍ଲାଇଛନ୍ତି। ବ୍ଳକ ଛକ ନିକଟର ରାସ୍ତା ଉପରେ ଧାନ ବସ୍ତା ରଖିବା ସହ ଅବରୋଧ କରିଛନ୍ତି ଶତାଧିକ ଚାଷୀ । ରାସ୍ତା ଅବରୋଧ ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଖବର ପାଇ ପୋଲିସ ପ୍ରଶାସନ ସହ ଖଡ଼ିଆଳ ତହସିଲଦାର ନରସିଂହ ଗାଡ଼ବା ଏବଂ ବିଡ଼ିଓ ମିଳନ ଝାଙ୍କର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜାରିରେ ଅଟକ ରହିଛନ୍ତି ଚାଷୀ । ତେଵେ ଏନେଇ ଖଡ଼ିଆଳ ବିଡ଼ିଓ ମିଳନ ଝାଙ୍କ ଙ୍କୁ ପଚାରିବାରୁ କହିଛନ୍ତି ଯେ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଥିବା ଅଭିଯୋଗ ସତ୍ୟ ଏବଂ ମଣ୍ଡିରୂ ଶୀଘ୍ର ଲିଫ୍ଟିଂ କରାଯାଇ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା ହେଉଛି।
