Khaliabhata Panchayat: ନୂତନ NACରେ ଖାଲିଆଭଟା ପଞ୍ଚାୟତକୁ ସାମିଲ କରିବାକୁ ବିରୋଧ
ଜୟପାଟଣାର ନୂତନ NACରେ ଖାଲିଆଭଟା ପଞ୍ଚାୟତକୁ ସାମିଲ କରିବାକୁ ବିରୋଧ। ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ପଞ୍ଚାୟତବାସୀଙ୍କ ଚେତାବନୀ।

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ନୂତନ ଭାବେ ଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ରେ ଖାଲିଆଭଟା ଗ୍ରାମ ପଞ୍ଚାୟତକୁ ସାମିଲ କରିବା ପ୍ରସ୍ତାବକୁ ନେଇ ତେଜିଛି ଅସନ୍ତୋଷ। ଏହାକୁ ବିରୋଧ କରି ପଞ୍ଚାୟତବାସୀ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି। ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ଖାଲିଆଭଟା ପଞ୍ଚାୟତକୁ ନୂତନ NACରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା, ଆର୍ଥିକ ସ୍ଥିତି ଓ ପ୍ରଚଳିତ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖାଲିଆଭଟା ଗ୍ରାମ ପଞ୍ଚାୟତର ୭ ଓ ୮ ନମ୍ବର ୱାର୍ଡ ସମେତ ମିଲପଡ଼ା, ଗୀତା ଭବନ ପଡ଼ା ଓ ବନମାଳୀପୁର ଅଞ୍ଚଳର ବାସିନ୍ଦାମାନେ ଏକଜୁଟ ହୋଇ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖାଲିଆଭଟା ପଞ୍ଚାୟତକୁ ନୂତନ NACରୁ ବାଦ୍ ଦେବା ସହ ଏହି ପ୍ରସଙ୍ଗରେ ପ୍ରଶାସନ ତୁରନ୍ତ ଉଚିତ୍ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ, ଏ ସମ୍ପର୍କରେ ପୂର୍ବରୁ ଜୟପାଟଣା ବିଡିଓ, କଳାହାଣ୍ଡି ଜିଲ୍ଲାପାଳ ଏବଂ ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଥିବା ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଡାଇରେକ୍ଟରଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଛି। କିନ୍ତୁ ଏଯାଏଁ ସେମାନଙ୍କ ଦାବି ଉପରେ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଓହ୍ଲାଇବା ସହ ଜୋରଦାର ପ୍ରତିବାଦ କରାଯିବ ବୋଲି ଖାଲିଆଭଟା ଗ୍ରାମ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

