Pds Rice: ଫିଙ୍ଗରପ୍ରିଣ୍ଟ ନେଉଛନ୍ତି, ଚାଉଳ ଦେଉନାହାନ୍ତି
ଚାରି ମାସ ହେଲା ମିଳୁନି PDS ଚାଉଳ, ଫିଙ୍ଗରପ୍ରିଣ୍ଟ ନେଇ ଚାଉଳ ନଦେବା ଅଭିଯୋଗ; ବ୍ଲକ ଅଫିସ ଘେରିଲେ ଶତାଧିକ ହିତାଧିକାରୀ ।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବଡ଼ଦୋହେଲ ପଞ୍ଚାୟତରେ PDS ଚାଉଳ ବଣ୍ଟନକୁ ନେଇ ଅନିୟମିତତା ଅଭିଯୋଗ ହୋଇଛି। ଚାଉଳ ବଣ୍ଟନ ପାଇଁ ହିତାଧିକାରୀଙ୍କଠାରୁ ଫିଙ୍ଗରପ୍ରିଣ୍ଟ ନିଆଯାଉଥିବା ବେଳେ ଚାଉଳ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବା ପରେ ଶତାଧିକ ହିତାଧିକାରୀ ଖଡ଼ିଆଳ ବ୍ଲକ ଅଫିସ ଘେରାଉ କରିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ମାସେ କି ଦୁଇ ମାସ ନୁହେଁ, ପ୍ରାୟ ଚାରି ମାସ ହେଲା PDS ଚାଉଳ ମିଳିନାହିଁ। ଯୋଗାଣ ସହାୟକ ଚାଉଳ ନେବା ପାଇଁ ପଞ୍ଚାୟତକୁ ଡାକୁଛନ୍ତି ଏବଂ ଫିଙ୍ଗରପ୍ରିଣ୍ଟ ମଧ୍ୟ ନେଉଛନ୍ତି। କିନ୍ତୁ ‘ଆଜି ଦିଆଯିବ’, ‘କାଲି ଦିଆଯିବ’ କହି ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। PDS ଚାଉଳ ଉପରେ ନିର୍ଭରଶୀଳ ଅଧିକାଂଶ ହିତାଧିକାରୀ ଗରିବ ଶ୍ରେଣୀର ହୋଇଥିବାରୁ ଚାରି ମାସ ଧରି ଚାଉଳ ନମିଳିବା ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହାର ପ୍ରତିବାଦରେ ଶତାଧିକ ହିତାଧିକାରୀ ଖଡ଼ିଆଳ ବ୍ଲକ ଅଫିସରେ ପହଞ୍ଚି ବିଡିଓଙ୍କ ଚ୍ୟାମ୍ବର ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣା ସମୟରେ କିଛି ସମୟ ପାଇଁ ଅଫିସ ପରିସରରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ପରେ ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି PDS ଚାଉଳ ବଣ୍ଟନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀମାନେ ଆନ୍ଦୋଳନରୁ ଓହରିଥିଲେ।
ଏପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆଉ ଦିନ କେଇଟା ପରେ। ପର୍ବ ପାଳନ ପାଇଁ ଲୋକେ ପ୍ରସ୍ତୁତ ହେଉଥିବା ବେଳେ ବଡ଼ଦୋହେଲ ପଞ୍ଚାୟତର ହିତାଧିକାରୀମାନେ ଚାରି ମାସର PDS ଚାଉଳ ପାଇନଥିବା ଅଭିଯୋଗ ଚିନ୍ତା ବଢ଼ାଇଛି। ତେଣୁ ଯଥାଶୀଘ୍ର ବକେୟା PDS ଚାଉଳ ବଣ୍ଟନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।
