Keonjhar Bike Theft:କେନ୍ଦୁଝର ମେଡିକାଲରେ ବାଇକ୍ ଲୁଟେରାଙ୍କ ଆତଙ୍କ
ମେଡିକାଲକୁ ଆସୁଥିଲେ ରୋଗୀ ଓ ସମ୍ପର୍କୀୟ, ହେଲେ ବାହାରେ ରଖିଥିବା ବାଇକ୍ ହୋଇଯାଉଥିଲା ଚୋରି। ଦୀର୍ଘ ୫ରୁ ୬ ମାସ ଧରି ଚାଲିଥିବା ଏହି ଚୋରି ରାକେଟ୍ର ପର୍ଦ୍ଦାଫାସ କରିଛି କେନ୍ଦୁଝର ଟାଉନ ଥାନା ପୋଲିସ। ୧୧ଟି ବାଇକ୍ ଜବତ ସହ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି।
କେନ୍ଦୁଝର: ମେଡିକାଲକୁ ରୋଗୀ ଓ ସମ୍ପର୍କୀୟଙ୍କ ଯିବାଆସିବା ଭିତରେ ବାଇକ୍ ଚୋରି କରୁଥିଲେ ଦୁର୍ବୃତ୍ତ। ଗାଡ଼ି ରଖି ଚିକିତ୍ସାଳୟ ଭିତରକୁ ଯାଉଥିବା ଲୋକେ ଫେରିବା ବେଳକୁ ବାଇକ୍ ଗାଏବ ହୋଇଯାଉଥିଲା। କେନ୍ଦୁଝର ସହରରେ ଗତ ୫ରୁ ୬ ମାସ ଧରି ଏଭଳି ବାଇକ୍ ଚୋରି ଘଟଣା ବଢ଼ିଥିବା ବେଳେ ଏବେ ଏକ ଚୋରି ରାକେଟ୍ର ପର୍ଦ୍ଦାଫାସ କରିଛି ପୋଲିସ। କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରର ବିଭିନ୍ନ ମେଡିକାଲ ଅଞ୍ଚଳରୁ ଲଗାତାର ବାଇକ୍ ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ବାଇକ୍ ଚୋରି କରୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଥିଲା। ଏହି ଘଟଣାଗୁଡ଼ିକର ତଦନ୍ତ କରି କେନ୍ଦୁଝର ଟାଉନ ଥାନା ପୋଲିସ ଚୋରି ରାକେଟ୍ର ସୁରାକ୍ ପାଇଥିଲା। ଏହାପରେ ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋଟ ୧୧ଟି ଚୋରା ବାଇକ୍ ଜବତ କରିଛି ପୋଲିସ। ତେବେ ଏହି ରାକେଟ୍ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଜବତ ବାଇକ୍ଗୁଡ଼ିକ କେଉଁ କେଉଁ ସ୍ଥାନରୁ ଚୋରି ହୋଇଥିଲା, ସେନେଇ ତଦନ୍ତ ଜାରି ରହିଛି।
