Human Elephant Conflict: କେନ୍ଦୁଝରରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ୩୬ ଟିକିଆ ହାତୀପଲ
କେନ୍ଦୁଝର ସଦର ରେଞ୍ଜର ମୈଦାନକେଲରେ ୩୬ ଟିକିଆ ହାତୀପଲଙ୍କ ଉତ୍ପାତ। ଏକର ଏକର ଫସଲ ନଷ୍ଟ, ଗାଁରେ ଆତଙ୍କ। ହାତୀଙ୍କୁ ଘେରାଉ ନକରିବାକୁ ଡିଏଫଓଙ୍କ ଅନୁରୋଧ।

କେନ୍ଦୁଝର: ବିକାଶ ନାଁରେ ଜଙ୍ଗଲ ଧ୍ୱଂସ। କମୁଛି ହାତୀଙ୍କ ପ୍ରାକୃତିକ ବାସସ୍ଥାନ ଓ ଖାଦ୍ୟ। ଫଳରେ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ଯାହାକୁ ନେଇ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ-ମଣିଷ ସଂଘର୍ଷ। କେନ୍ଦୁଝର ବନଖଣ୍ଡରେ ଏବେ ୧୫ଟି ଦଳରେ ୧୫୪ଟି ହାତୀ ରହିଥିବା ବେଳେ ସେଥିମଧ୍ୟରୁ ୩୬ଟି ହାତୀ ମୈଦାନକେଲ ଅଞ୍ଚଳରେ ଡେରା ପକାଇଛନ୍ତି। କେନ୍ଦୁଝର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳରେ ଗତ ୩ ଦିନ ଧରି ଆତଙ୍କ ଖେଳାଇଛି ୩୬ ଟିକିଆ ହାତୀପଲ। ଦିନ ହେଉ କି ରାତି, ଚାଷ ଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ଖାଇବା ସହ ପାଦରେ ଦଳିଚକଟି ନଷ୍ଟ କରୁଛନ୍ତି ଏକର ଏକର ଜମି। ଗାଁରେ ପଶି ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି। ଫଳରେ ବର୍ଷକର ଆହାର ପାଇଁ କଷ୍ଟ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଫସଲ ବଞ୍ଚାଇବା ପାଇଁ ଗ୍ରାମବାସୀ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି। ହାତୀଙ୍କୁ ଗାଁରେ ପଶିବାରୁ ରୋକିବା ପାଇଁ ନିଆଁହୁଳା, ମଶାଲ ଓ ଠେଙ୍ଗାବାଡ଼ି ଧରି ଘେରାଉ କରୁଛନ୍ତି। ଏହାଦ୍ୱାରା ହାତୀମାନେ ବାଟ ପାଇନପାରି ଅଧିକ ଉତ୍ତେଜିତ ହେଉଥିବା ସହ କ୍ଷୟକ୍ଷତି ବଢ଼ୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବନ ବିଭାଗ ପକ୍ଷରୁ ଏକାଧିକ ସ୍କ୍ୱାଡ୍ ଗଠନ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି। ହାତୀଙ୍କୁ ଘେରାଉ ନକରିବା କିମ୍ବା ସେମାନଙ୍କ ନିକଟକୁ ଯାଇ ଉତ୍ତେଜିତ ନକରିବାକୁ ଡିଏଫଓ ଅନୁରୋଧ କରିଛନ୍ତି। ହାତୀଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପାଇଁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯାଉଥିବା ସେ କହିଛନ୍ତି। ତେବେ ଜଙ୍ଗଲ ଓ ଜଙ୍ଗଲୀ ଜୀବଙ୍କ ସୁରକ୍ଷା ସହ ମଣିଷ-ହାତୀ ସଂଘର୍ଷ ରୋକିବା ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ।
