Kendrapada Crocodile :ଧାନ କ୍ଷେତରେ କୁମ୍ଭୀର ଦେଖି ଡରିଲେ ଚାଷୀ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁରେ ଚାଷ ଜମିରୁ ଏକ ୬ ଫୁଟର ବଉଳା କୁମ୍ଭୀର ଉଦ୍ଧାର ହୋଇଛି। ଚାଷ ଜମିରେ ବର୍ଷା ପାଣି ଜମି ରହିଥିବା ବେଳେ ମାଛ ଧରିବା ପାଇଁ ବସାଯାଇଥିବା ଲଞ୍ଜା ମଧ୍ୟରେ ପଶିଆସିଛି କୁମ୍ଭୀର ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁରେ ଚାଷ ଜମିରୁ ଏକ ୬ ଫୁଟର ବଉଳା କୁମ୍ଭୀର ଉଦ୍ଧାର ହୋଇଛି। ଚାଷ ଜମିରେ ବର୍ଷା ପାଣି ଜମି ରହିଥିବା ବେଳେ ମାଛ ଧରିବା ପାଇଁ ବସାଯାଇଥିବା ଲଞ୍ଜା ମଧ୍ୟରେ କୁମ୍ଭୀରଟି ପଶିଯାଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ । ସୂଚନା ଅନୁଯାୟୀ, ଗାଁ ନିକଟ ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ଏହି ପାଣିରେ ମାଛ ଥିବାରୁ ମାଛ ଧରିବା ପାଇଁ ଗତକାଲି ରାତିରେ ଚାଷ ଜମିର ଶେଷ ମୁଣ୍ଡରେ ସ୍ଥାନୀୟ ଲୋକେ ଲଞ୍ଜା ବସାଇଥିଲେ । ତେବେ ଆଜି ସକାଳୁ ଲଞ୍ଜା ମଧ୍ୟରେ ଏକ ବିରାଟ ବଉଳା କୁମ୍ଭୀର ପଡ଼ିଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରକୁ ଦେଖି ଗାଁ ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ମାଛ ଖାଇବା ଉଦ୍ଦେଶ୍ୟରେ କୁମ୍ଭୀରଟି ନିକଟସ୍ଥ ଜଳାଶୟରୁ ଚାଷ ଜମିକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ରାଜନଗର ଅଞ୍ଚଳରେ ବାରମ୍ବାର କୁମ୍ଭୀର ଗାଁ କେନାଲ, ପୋଖରୀ ଓ ଚାଷ ଜମିରେ ପଶିବା ଘଟଣା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ଚାଷ ଜମିରେ ପାଣି ଭର୍ତ୍ତି ହୋଇ ରହିଥିବାରୁ କୁମ୍ଭୀର ଦେଖାଯିବା ପରେ ଚାଷୀମାନେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ଜମିକୁ ଯିବା ସମୟରେ ସତର୍କ ରହିବା ସହ କୁମ୍ଭୀର ଦେଖାଗଲେ ତାହାର ନିକଟକୁ ନଯାଇ ତୁରନ୍ତ ବନବିଭାଗକୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
