Kali Murti:ମାଟିତଳୁ ବାହାରିଲା କାଳୀ ମୂର୍ତ୍ତି! ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼
ଗଞ୍ଜାମ ଦିଗପହଣ୍ଡି ବଜାପଲ୍ଲୀ ଗାଁରେ ସୁନାମୁଦି ଖୋଜିବା ବେଳେ ମାଟିତଳୁ ଏକ କାଳୀ ମୂର୍ତ୍ତି ମିଳିଛି। ମୂର୍ତ୍ତିଟି ସୁନାର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଏହାର ସତ୍ୟତା ନେଇ ଅଧିକାରିକ ପୁଷ୍ଟି ମିଳିନାହିଁ।
ଦିଗପହଣ୍ଡି: ମାଟି ଖୋଳୁ ଖୋଳୁ ବାହାରିଲା କାଳୀ ମୂର୍ତ୍ତି। ଏଭଳି ଏକ ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି। ମୂର୍ତ୍ତିଟିକୁ ଦେଖିବା ପାଇଁ ଗାଁରେ ଲୋକଙ୍କ ଭିଡ଼ ଜମୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଜାପଲ୍ଲୀ ଗ୍ରାମର ଦୁଦଷ୍ଟି ରେଡ୍ଡୀଙ୍କ ବାରିପଟ ମାଟି ତଳୁ ଏକ କାଳୀ ମୂର୍ତ୍ତି ମିଳିଛି। ଦୁଦଷ୍ଟି ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ଏକ ସୁନାମୁଦି ହଜିଯାଇଥିଲା। ହଜିଯାଇଥିବା ମୁଦିକୁ ଖୋଜିବା ସମୟରେ ବାରିପଟରେ ମାଟି ଖୋଳାଯାଇଥିଲା। ଏହି ସମୟରେ ମାଟି ତଳୁ ମୂର୍ତ୍ତିଟି ମିଳିଥିବା କୁହାଯାଉଛି। ମୂର୍ତ୍ତିଟି ଧାତୁର ହୋଇଥିବା ବେଳେ ଏହା ସୁନାର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ମୂର୍ତ୍ତିଟି ପ୍ରକୃତରେ ସୁନା କି ନୁହେଁ, ସେନେଇ କୌଣସି ଅଧିକାରିକ ପୁଷ୍ଟି ମିଳିନାହିଁ। ମାଟିତଳୁ ହଠାତ୍ କାଳୀ ମୂର୍ତ୍ତି ମିଳିବା ଖବର ପ୍ରଚାର ହେବା ପରେ ବଜାପଲ୍ଲୀ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ କୌତୂହଳ ସୃଷ୍ଟି ହୋଇଛି। ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହାର ପ୍ରକୃତ ଧାତୁ ଓ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ।
