Justice Protest: ରାଜୁ ବାଗଙ୍କୁ ନ୍ୟାୟ ଦାବି
ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଏବେ ମିଳିଛି ମୁଣ୍ଡ। ହେଲେ ରାଜୁ ବାଗଙ୍କ ହତ୍ୟା ଘଟଣାରେ ଏଯାଏଁ ଗିରଫ ହୋଇନାହାନ୍ତି ଅଭିଯୁକ୍ତ। ନ୍ୟାୟ ଦାବିରେ ମୋଟେର ଛକରେ ଶବବାହୀ ଆମ୍ବୁଲାନ୍ସ ଅଟକାଇଲେ ପରିବାର ଲୋକେ।
କଳାହାଣ୍ଡି:ରାଜୁ ବାଗ ହତ୍ୟା ଘଟଣାକୁ ନେଇ ତେଜିଲା ଅସନ୍ତୋଷ। ନ୍ୟାୟ ଦାବିରେ ମୋଟେର ଛକରେ ଘଣ୍ଟାଏ କାଳ ଅଟକି ରହିଲା ଶବବାହୀ ଆମ୍ବୁଲାନ୍ସ। ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଏଭଳି ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତାରେ ଥିବା ଏକ ବିୟର ବାର୍ ନିକଟସ୍ଥ ଚାଷଜମିରୁ ଗତ ଗୁରୁବାର ରାଜୁ ବାଗଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଥିଲା। ଶୁକ୍ରବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ପଠାଇଥିଲା। ଅନ୍ୟପଟେ ମୁଣ୍ଡ ଖୋଜିବା ପାଇଁ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଓ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ।ଦୀର୍ଘ ଖୋଜାଖୋଜି ପରେ ରବିବାର ଚାଷଜମି ନିକଟସ୍ଥ ଏକ ନାଳରୁ ଅଗ୍ନିଶମ ବିଭାଗ ରାଜୁଙ୍କ ଗଳିତ ମୁଣ୍ଡ ଉଦ୍ଧାର କରିଥିଲା। ଏହାକୁ ପରୀକ୍ଷା ପାଇଁ ଫରେନସିକ୍ ଲାବରେଟୋରୀକୁ ପଠାଯାଇଥିବା ବେଳେ ଭବାନୀପାଟଣାରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା।ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ନିଆଯାଉଥିବା ସମୟରେ ମୋଟେର-ଲଡ଼ୁଗାଁ ରାସ୍ତାର ମୋଟେର ଛକଠାରେ ପରିବାର ଓ ସମ୍ପର୍କୀୟ ଆମ୍ବୁଲାନ୍ସକୁ ଅଟକାଇଥିଲେ। ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାସୁଝା କରିଥିଲେ। ତଦନ୍ତ ଜାରି ରହିଥିବା ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଶ୍ୱାସନା ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
