Journalist Attacked : ବାଲି ସ୍ମଗଲିଂ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଅଞ୍ଚଳରେ ବେଆଇନ ବାଲି ଚାଲାଣର ଖବର ସଂଗ୍ରହ କରିବା ମହଙ୍ଗା ପଡ଼ିଛି। ବୁଝାମଣା ବାହାନାରେ ସାମ୍ବାଦିକ କ୍ଷୀରୋଦ ଦାସଙ୍କୁ ଡାକି ନେଇ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଝାରପୋଖରିଆ ଗ୍ରାମର ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସ ଗୁରୁତର ଆହତ ହୋଇଥିବା ବେଳେ, ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନିଆଯାଇଥିବା ନେଇ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି |

ମୟୂରଭଞ୍ଜ/ଝାରପୋଖରିଆ:ମୟୂରଭଞ୍ଜ ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଝାରପୋଖରିଆ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ମାଫିଆଙ୍କ କାରନାମା ଏବେ ସୀମା ଟପିଛି। ତେବେ ବାଲି ମାଫିଆଙ୍କ କଳା କାରନାମା ସାମ୍ନାକୁ ଆଣିବା କାଳ ସାଜିଛି ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ପାଇଁ | ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ସମ୍ପର୍କିତ ଖବର ପ୍ରକାଶ କରିବା ଯୋଗୁଁ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଲି ଚୋରା ଚାଲାଣ ନେଇ ଆଗରୁ ପ୍ରକାଶ ପାଇଥିବା ଖବରର ଆପୋଷ ବୁଝାମଣା କରିବା ବାହାନାରେ ସାମ୍ବାଦିକ କ୍ଷୀରୋଦଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକି ନିଆଯାଇଥିଲା। ସେଠାରେ ତାଙ୍କୁ ଆକ୍ରମଣର ପ୍ଲାନ ଆଗରୁ କରିରଖିଥିଲେ ସଂସାର ମିଶ୍ର ଓରଫ ବାବା ଏବଂ ତାଙ୍କ ସହଯୋଗୀମାନେ | କେବଳ ସାମ୍ବାଦିକଙ୍କୁ ମାଡ଼ ମାରିନାହାନ୍ତି, ବରଂ ତାଙ୍କଠାରୁ ବାଲି ଚାଲାଣର ପ୍ରମାଣ ଲୁଚାଇବା ଏବଂ ଭିଡିଓ ରେକର୍ଡିଂ ଡିଲିଟ୍ କରିବା ଉଦ୍ଦେଶ୍ୟରେ ବଳପୂର୍ବକ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଛନ୍ତି।
ସୁବର୍ଣ୍ଣରେଖା ନଦୀ ଓ ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ବାଲି ଚାଲାଣକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ଉଠିଆସିଛି। ଏବେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ବାଲି ଚାଲାଣ ଓ ପ୍ରଶାସନିକ ନିରୀକ୍ଷଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ସରକାରୀ ରାଜସ୍ୱ ହାନି ଓ ବେଆଇନ ବାଲି ଉତ୍ତୋଳନ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି ହୋଇଛି।

