ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ପରଲୋକ
୯୦ ଦଶକର ଆଗଧାଡ଼ିର ନିରପେକ୍ଷ, ନିର୍ଭୀକ ଓ ସାହସୀ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ପରଲୋକ । ତାଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।


ପୁରୀ: ୯୦ ଦଶକର ଆଗଧାଡ଼ିର ନିରପେକ୍ଷ, ନିର୍ଭୀକ ଓ ସାହସୀ ସାମ୍ବାଦିକ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ପରଲୋକ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୂର୍ଣ୍ଣେନ୍ଦୁ ପଟ୍ଟନାୟକ ଇଟିଭି ଓଡ଼ିଆର ପ୍ରାରମ୍ଭିକ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କେବଳ ଜଣେ ନିଷ୍ଠାବାନ ସାମ୍ବାଦିକ ନୁହେଁ, ବରଂ ଜଣେ ସହୃଦୟ, ମାନବିକ ଓ ସରଳ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କ ପାଖରେ ପରିଚିତ ଥିଲେ। ସାମ୍ବାଦିକତା ପ୍ରତି ତାଙ୍କର ଅତୁଟ ନିଷ୍ଠା, ସଚ୍ଚୋଟତା ଓ କର୍ତ୍ତବ୍ୟପରାୟଣତା ତାଙ୍କୁ ସହକର୍ମୀ ଏବଂ ସମାଜର ସମସ୍ତ ସ୍ତରର ଲୋକଙ୍କ ଭଲପାଇବା ଓ ସମ୍ମାନର ପାତ୍ର କରିଥିଲା। ନିଜର ଦୀର୍ଘ ସାମ୍ବାଦିକ ଜୀବନରେ ସେ ଇଟିଭି ଓଡ଼ିଆ, ନକ୍ଷତ୍ର ନ୍ୟୁଜ୍ ଏବଂ ଦୂରଦର୍ଶନରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିଲେ। ତାଙ୍କ କାର୍ଯ୍ୟଦକ୍ଷତା, ନିରପେକ୍ଷ ଖବର ପରିବେଷଣ ଏବଂ ପେସାଦାର ଆଭିମୁଖ୍ୟ ତାଙ୍କୁ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେ 'ଗ୍ଲୋରିଫେଷ୍ଟ'ର ଜଣେ ସକ୍ରିୟ ଏବଂ ସମ୍ମାନିତ ବରିଷ୍ଠ ସଦସ୍ୟ ମଧ୍ୟ ଥିଲେ।
କିଛି ଦିନ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ସେ ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାରୁ ସେ ପୁରୀସ୍ଥିତ ନିଜ ବାସଭବନକୁ ଫେରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମସ୍ତିଷ୍କରେ ରକ୍ତ ଜମା (ବ୍ରେନ୍ ହେମାଟୋମା) ସମସ୍ୟା ଦେଖାଦେବାରୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଗୁରୁତର ହୋଇପଡ଼ିଥିଲା। ଡାକ୍ତରମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ସହ କାମ କରିଥିବା ସହକର୍ମୀମାନେ ତାଙ୍କୁ ଜଣେ ନିଷ୍ଠାବାନ, ସହଯୋଗୀ ଓ ସର୍ବଦା ହସମୁଖ ବ୍ୟକ୍ତିତ୍ୱ ଭାବେ ସ୍ମରଣ କରୁଛନ୍ତି। ଦିବଙ୍ଗତ ପୂର୍ଣ୍ଣେନ୍ଦୁ ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିବାବେଳେ, ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଏହି ଅପାର ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।
