Bhadrak Block Controversy:ଭଦ୍ରକ ବ୍ଲକ୍ରେ ତାଲା ପକାଇଲେ ବିଜେପି କର୍ମୀ
ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ତାଲାବନ୍ଦକୁ ନେଇ ମୁହଁ ଖୋଲିଛନ୍ତି ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ। ଦଳୀୟ ବିବାଦ ପାଇଁ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ଭଦ୍ରକ: ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ତାଲାବନ୍ଦ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାରେ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ହୋଇଥିଲେ ଦଳୀୟ ଫୋରମ୍ରେ ଅଭିଯୋଗ କରିବା ଉଚିତ୍, ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଉର୍ମିଳା କହିଛନ୍ତି, ମୁଁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲି। କିନ୍ତୁ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। କୌଣସି ପଲ୍ଲୀସଭା ନକରି କିମ୍ବା ସରକାରୀ ନୀତିନିୟମ ନମାନି କାର୍ଯ୍ୟ କରିବା କ’ଣ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, କେତେକ ମୁଷ୍ଟିମେୟ କର୍ମୀ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ଏବଂ ବିଜେପି ରାଜ୍ୟ ସଭାପତିଙ୍କୁ ଅବଗତ କରାଇଥିଲେ। ହେଲେ କୌଣସି ପଦକ୍ଷେପ ନିଆ ନଯିବାରୁ ବାଧ୍ୟ ହୋଇ କୋର୍ଟଙ୍କ ଆଶ୍ରୟ ନେଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯଦି ତାଙ୍କୁ ଦଳରୁ ବହିଷ୍କାର କରାଯାଏ, ତେବେ ଆଗକୁ କ’ଣ ନିଷ୍ପତ୍ତି ନେବେ, ତାହା ସ୍ପଷ୍ଟ କରିବେ।
