Food Safety Raid: ଭାରତୀ ମସଲା ଓ ତ୍ରିବେଣୀ ଏଣ୍ଟରପ୍ରାଇଜେସ୍ ଉପରେ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ, ଉଭୟ ସଂସ୍ଥା ସିଲ୍
ଭାରତୀ ମସଲାରୁ ୨୦ କ୍ୱିଣ୍ଟାଲରୁ ଅଧିକ ମସଲା ଜବତ। ନିମ୍ନମାନର କଞ୍ଚାମାଲ ଅଭିଯୋଗରେ ସାଲେପୁର ସ୍ଥିତ ଭାରତୀ ମସଲା ଓ ତ୍ରିବେଣୀ ଏଣ୍ଟରପ୍ରାଇଜେସ୍କୁ ସିଲ୍ କଲା ଫୁଡ୍ ସେଫ୍ଟି ବିଭାଗ।
ସାଲେପୁର: ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ସାଂଘାତିକ ଖେଳ! ମସଲା ପ୍ରସ୍ତୁତି ଓ ପ୍ୟାକେଜିଂକୁ ନେଇ ସାମ୍ନାକୁ ଆସିଛି ଗୁରୁତର ଅଭିଯୋଗ। ସାଲେପୁର ବ୍ଲକ ପିରବଜାର ଅଣ୍ଡେଇସାହି ସ୍ଥିତ ଭାରତୀ ମସଲା କମ୍ପାନୀ ଉପରେ ଅଚାନକ ଚଢ଼ାଉ କରିଛି ଫୁଡ୍ ଆଣ୍ଡ ସେଫ୍ଟି ବିଭାଗ। ଚଢ଼ାଉ ସମୟରେ ସଂସ୍ଥାରୁ ୨୦ କ୍ୱିଣ୍ଟାଲରୁ ଅଧିକ ପ୍ୟାକେଟ୍ ମସଲା ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଅଧିକାରୀମାନେ ସଂସ୍ଥାରେ ପ୍ରସ୍ତୁତ ହେଉଥିବା ମସଲାର ଗୁଣବତ୍ତା ଏବଂ ଏଥିରେ ବ୍ୟବହୃତ କଞ୍ଚାମାଲର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଭଳି କିଛି ସାମଗ୍ରୀ ନିମ୍ନମାନର ଏବଂ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି କଞ୍ଚାମାଲକୁ ଗୁଣ୍ଡ କରି ପ୍ୟାକେଟ୍ରେ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଘଟଣାର ଗମ୍ଭୀରତାକୁ ଦେଖି ଭାରତୀ ମସଲା ସଂସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି ବିଭାଗ। ସେହିପରି ତ୍ରିବେଣୀ ଏଣ୍ଟରପ୍ରାଇଜେସ୍ ନାମକ ଅନ୍ୟ ଏକ ସଂସ୍ଥାରେ ମଧ୍ୟ ଚଢ଼ାଉ ହୋଇଛି। ସେଠାରେ ଚାଓମିନ୍ ପ୍ରସ୍ତୁତି ସମୟରେ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉନଥିବା ଅଭିଯୋଗ ହୋଇଛି। ଏଥିସହ ମାଲିକ ଉପସ୍ଥିତ ନଥିବାରୁ ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ ପାଇଁ ଦାଖଲ ହୋଇପାରିନଥିଲା। ଫଳରେ ଏହି ସଂସ୍ଥାକୁ ମଧ୍ୟ ସିଲ୍ କରାଯାଇଛି। ତେବେ ଜବତ ସାମଗ୍ରୀର ନମୁନା ପରୀକ୍ଷା ଓ ପରବର୍ତ୍ତୀ ତଦନ୍ତ ପରେ ହିଁ ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ। ଏବେ ଫୁଡ୍ ଆଣ୍ଡ ସେଫ୍ଟି ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
