Animal Husbandry Fair:ବରୀ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ଯାଜପୁର ଜିଲ୍ଲା ବରୀ ବ୍ଲକ୍ରେ ଆୟୋଜିତ ହୋଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। ମାଛ, କୁକୁଡ଼ା ଓ ଛେଳି ଚାଷ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଦିଆଯାଇଛି ଗୁରୁତ୍ୱ।
ଯାଜପୁର: ଗ୍ରାମାଞ୍ଚଳର ଚାଷୀଙ୍କୁ ଆତ୍ମନିର୍ଭର କରିବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ରେ ଆୟୋଜିତ ହୋଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। ବରୀ ବ୍ଲକ୍ ଅନ୍ତର୍ଗତ ଅରଙ୍ଗାବାଦ ପଞ୍ଚାୟତର କଣ୍ଠପୋଇ ଖେଳ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗଦେଇ ମତ୍ସ୍ୟ ଚାଷ, କୁକୁଡ଼ା ଚାଷ ଓ ଛେଳି ଚାଷ ମାଧ୍ୟମରେ ଲୋକେ କିପରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ, ସେନେଇ ମତ ରଖିଥିଲେ। ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ସେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିଲେ ଏହି କ୍ଷେତ୍ରରେ ଚାଷର ପରିମାଣ ଓ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ଗୁଡ଼ିକୁ ବିଧାୟକ ଓ ବିଭାଗୀୟ ଅଧିକାରୀମାନେ ବୁଲି ଦେଖିଥିଲେ। ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବରୀ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ ମହାନ୍ତି, ଅଶୋକ ସାମଲ, ସନ୍ତୋଷ ସାମଲଙ୍କ ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଜିଲ୍ଲା ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଭକ୍ତଚରଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
