Brown sugar Raid : ଗୁପ୍ତ ସୂଚନାରେ ରାତି ଚଢ଼ାଉ, ଧରାପଡ଼ିଲା ନିଶା ଚେନ୍
ଜୟପୁରର କେନାଲ ରୋଡ୍ ନିକଟରେ ବ୍ରାଉନସୁଗାର କାରବାର ଉପରେ ପୋଲିସର ଚଢ଼ଉ । ୬ ଜଣ ଗିରଫ, ୪୦୩.୧ ଗ୍ରାମ ବ୍ରାଉନସୁଗାର ସହ ୨୦ ହଜାର ଟଙ୍କା, ୮ ମୋବାଇଲ୍, କାର୍ ଓ ୨ଟି ମାରଣାସ୍ତ୍ର ଜବତ। ଜଣେ ଅଭିଯୁକ୍ତ ଫେରାର ।
ରାତିର ଅନ୍ଧାରରେ କେନାଲ ରୋଡ୍ ନିକଟରେ ଚାଲିଥିଲା ବ୍ରାଉନସୁଗାର କାରବାର | ପୁଲିସକୁ ମିଳିଲା ଗୁପ୍ତ ସୂଚନା। ଆଉ ତା’ପରେ ଆରମ୍ଭ ହେଲା ଚଢ଼ଉ | ଘଟଣାସ୍ଥଳରେ ଏକ ଧଳା ଡିଜାୟାର୍ ପହଞ୍ଚିବା ପରେ ପୋଲିସର ସନ୍ଦେହ ଆହୁରି ବଢ଼ିଥିଲା | ଶେଷରେ ଧରାପଡ଼ିଲେ ୬ ଜଣ | ତେବେ ଜଣେ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି | ନିଶା କାରବାର ବିରୋଧରେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ମଧ୍ୟରେ ଜୟପୁର ପୋଲିସକୁ ଏହି ବଡ଼ ସଫଳତା ମିଳିଛି | ପୋଲିସ ସୂଚନା ଅନୁସାରେ, ଗତ ୩ ତାରିଖ ରାତିରେ ପାଟ୍ରୋଲିଂ ସମୟରେ କେନାଲ ରୋଡ୍ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା | ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଜର ରଖିଥିଲା | ପ୍ରଥମେ ଦୁଇ ଜଣ ନିଶା ଗ୍ରହଣକାରୀ ସେଠାରେ ଥିବା ଦେଖାଯାଇଥିଲା | କିଛି ସମୟ ପରେ ଏକ ଧଳା ମାରୁତି ସୁଜୁକି ଡିଜାୟାର୍ କାର୍ ସେଠାରେ ପହଞ୍ଚିଥିଲା | ମୋଟ ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଜଣେ ଫେରାର୍ ହୋଇଯାଇଥିଲା | ଏନଡିପିଏସ୍ ନିୟମ ଅନୁସାରେ ତଲାସି ପରେ କାର୍ରୁ '୩୭୦୦ଟି ବ୍ରାଉନସୁଗାର ପୁଡ଼ିଆ' ଏବଂ ୧୦ ଗ୍ରାମ ଲେଖାଏଁ ଥିବା ୧୧ଟି ପ୍ୟାକେଟ୍ ମିଳିଥିଲା | ସମୁଦାୟ ୪୦୩.୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ୪୦ରୁ ୪୫ ଲକ୍ଷ ଟଙ୍କା ବୋଲି ପୋଲିସ କହିଛି | ଜୟପୁରର ରିସିଭର ରାମୁ ନିକଟରୁ ୧୦୦ଟି ପୁଡ଼ିଆ ମିଳିଥିବା ବେଳେ ଖୋର୍ଦ୍ଧାର ଅଲ୍ଲୀ ନାମକ ଯୁବକଙ୍କ ନିକଟରୁ ପ୍ରାୟ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା | ଏହାସହ ୨୦ ହଜାର ଟଙ୍କା ନଗଦ, ୮ଟି ମୋବାଇଲ୍ ଫୋନ୍, ଗୋଟିଏ କାର୍ ଏବଂ ୨ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି | ଗିରଫ ୬ ଜଣଙ୍କ ମଧ୍ୟରେ କୋରାପୁଟର ୨ ଜଣ, ନୟାଗଡ଼ର ୩ ଜଣ ଏବଂ ଖୋର୍ଦ୍ଧାର ଜଣେ ରହିଛନ୍ତି | ପୋଲିସର ସୂଚନା ଅନୁସାରେ, ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ଏନଡିପିଏସ୍ ଆଇନ ଅନୁସାରେ ମାମଲା ରହିଛି । ନିଶା କାରବାର ବିରୋଧରେ ‘ଜିରୋ ଟଲରାନ୍ସ’ ନୀତିରେ ଆଗକୁ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ କହିଛି |
