Jai Jai Ram Song Release: ରିଲିଜ ହେଲା ରାମାୟଣର ପ୍ରଥମ ଗୀତ ‘ଜୟ ଜୟ ରାମ’
‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ୍। ଏଆର୍ ରହମାନଙ୍କ ସଙ୍ଗୀତ, ଅରିଜିତ ସିଂହ-ଶ୍ରେୟା ଘୋଷାଲଙ୍କ ସ୍ୱରରେ ଭକ୍ତିମୟ ହେଲା ଗୀତ।

ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ ହୋଇଛି । ଫିଲ୍ମର ଗୀତ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ଭିତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗଣେଶ ଚତୁର୍ଥୀ ଅବସରରେ ଫିଲ୍ମର ପ୍ରଥମ ଗୀତ ‘ଜୟ ଜୟ ରାମ’ ରିଲିଜ୍ ହୋଇଛି। ଏହି ଭକ୍ତିମୟ ଗୀତରେ ସଙ୍ଗୀତ ଦେଇଛନ୍ତି ଏଆର୍ ରହମାନ୍। ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂହ ଓ ଶ୍ରେୟା ଘୋଷାଲ୍, ଯେତେବେଳେ ଏହାର ଲିରିକ୍ସ ଲେଖିଛନ୍ତି ଡ. କୁମାର ବିଶ୍ୱାସ। ‘ଜୟ ଜୟ ରାମ’ ଏକ ଗଭୀର ଭକ୍ତିମୟ ପରିବେଶ ସୃଷ୍ଟି କରି ରାମାୟଣର ସଙ୍ଗୀତ ଦୁନିଆକୁ ଉନ୍ମୋଚନ କରୁଛି। ପାରମ୍ପରିକ ପ୍ରେମ କିମ୍ବା ନାଟକୀୟ କାହାଣୀ ଉପରେ ଗୀତଟି ଆଧାରିତ ନୁହେଁ। ବରଂ ଭଗବାନ ଶ୍ରୀରାମଙ୍କ ନାମ ଏବଂ ତାଙ୍କ ପ୍ରତି ଥିବା ଭକ୍ତିକୁ କେନ୍ଦ୍ର କରି ଗୀତଟି ଗଢ଼ାଯାଇଛି। ଗୀତରେ ବାରମ୍ବାର ‘ଜୟ ଜୟ ରାମ’ ଓ ‘ସୀତା-ରାମ’ ଉଚ୍ଚାରଣ ଶୁଣିବାକୁ ମିଳୁଛି। ଏଥିସହ ‘ଅଚ୍ୟୁତମ୍ କେଶବମ୍’ ଭଳି ପରିଚିତ ଭକ୍ତିମୟ ଶ୍ଲୋକର ଝଲକ ମଧ୍ୟ ରହିଛି। ଭୟ, ଅନ୍ଧକାର ଓ ଅନିଶ୍ଚିତତାର ସମୟରେ ଶ୍ରୀରାମଙ୍କ ନାମ ସ୍ମରଣ କରି ତାଙ୍କ କୃପା ଲାଭ କରିବାର ବାର୍ତ୍ତା ଗୀତରେ ଦିଆଯାଇଛି। ଶ୍ରୀରାମଙ୍କୁ ଜଣେ ପଥପ୍ରଦର୍ଶକ, ରକ୍ଷକ ଓ ଶକ୍ତିର ଉତ୍ସ ଭାବେ ଉପସ୍ଥାପନ କରାଯାଇଛି।
ଗୀତ ସହ ରିଲିଜ୍ ହୋଇଥିବା ଭିଡିଓରେ ରଣବୀର କପୁରଙ୍କୁ ଶ୍ରୀରାମଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଭିଡିଓର ବିଭିନ୍ନ ଦୃଶ୍ୟରେ ରାମଙ୍କ ଚରିତ୍ରର ଭିନ୍ନ ଦିଗକୁ ଦର୍ଶାଯାଇଛି। ଗୋଟିଏ ଦୃଶ୍ୟରେ ଭକ୍ତମାନେ ଶ୍ରୀରାମଙ୍କୁ ପୂଜା କରୁଥିବା ଦେଖାଯାଇଛି। ଅନ୍ୟପଟେ ରଣବୀରଙ୍କ ରାମ ତାଙ୍କ ପିତା ରାଜା ଦଶରଥଙ୍କ ଯତ୍ନ ନେଉଥିବା ଦୃଶ୍ୟ ମଧ୍ୟ ରହିଛି। ଦଶରଥଙ୍କ ଭୂମିକାରେ ଅରୁଣ ଗୋଭିଲ୍ ନଜର ଆସିଛନ୍ତି। ବାପା-ପୁଅଙ୍କ ଏହି ଭାବପ୍ରବଣ ଦୃଶ୍ୟ ରାମଙ୍କ ପାରିବାରିକ ସମ୍ପର୍କର ଏକ ଝଲକ ଦେଇଛି। ସେହିପରି ସାଇ ପଲ୍ଲବୀଙ୍କୁ ସୀତାଙ୍କ ଭୂମିକାରେ ଦେଖିବାକୁ ମିଳିଛି। ରାମ ଓ ସୀତାଙ୍କ ଜୟମାଳା ଦୃଶ୍ୟ ମଧ୍ୟ ଭିଡିଓର ଏକ ଆକର୍ଷଣୀୟ ଅଂଶ ହୋଇଛି।
‘ରାମାୟଣ: ପାର୍ଟ ୱାନ୍’ ୨୦୨୬ ଦୀପାବଳି ସମୟରେ ସିନେମା ହଲ୍ରେ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହେବ ।
