୫ ବର୍ଷ ପରେ କନ୍ୟାକୁମାରୀରୁ ଆନ୍ତଃରାଜ୍ୟ ଲୁଟେରା ଦମ୍ପତି ଗିରଫ
ଦୀର୍ଘ ୫ ବର୍ଷ ତଳର ଏକ ଚର୍ଚ୍ଚିତ ଲୁଟ୍ ମାମଲାରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଦୀର୍ଘ ତଦନ୍ତ ପରେ ଆନ୍ତଃରାଜ୍ୟ ଲୁଟେରା ଦମ୍ପତିଙ୍କୁ ତାମିଲନାଡୁର କନ୍ୟାକୁମାରୀରୁ ଗିରଫ କରିଛି ପୋଲିସ।
ମାଲକାନଗିରି: ଦୀର୍ଘ ୫ ବର୍ଷ ତଳର ଏକ ଚର୍ଚ୍ଚିତ ଲୁଟ୍ ମାମଲାରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘ ତଦନ୍ତ ପରେ ଆନ୍ତଃରାଜ୍ୟ ଲୁଟେରା ଦମ୍ପତିଙ୍କୁ ତାମିଲନାଡୁର କନ୍ୟାକୁମାରୀରୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ, ୨୦୨୧ ମାର୍ଚ୍ଚ ୨ ତାରିଖରେ ମାଲକାନଗିରି ସଦର ମହକୁମାର ବଣ୍ଡାବାକୁଳିଗୁଡା କଲୋନୀରେ ରହୁଥିବା ସୁନା ବ୍ୟବସାୟୀ ସୁବାଷ ପାଟିଲଙ୍କ ଘରେ ଭଡ଼ାରେ ରହୁଥିବା ଏହି ଦମ୍ପତି ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଘର ଲୋକଙ୍କୁ ଅଚେତ କରିଦେଇଥିଲେ। ଏହାପରେ ଘରୁ ପ୍ରାୟ ୭୦୦ ଗ୍ରାମ ସୁନା ଗହଣା ଓ ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ମାଲକାନଗିରି ଥାନାରେ କେସ୍ ନଂ-୬୭/୨୧ ଅନୁଯାୟୀ ଭାରତୀୟ ଦଣ୍ଡ ସଂହିତାର ଧାରା ୩୨୮, ୪୫୭, ୩୮୦, ୩୪ ଏବଂ ଆର୍ମ୍ସ ଆକ୍ଟ-୧୯୫୯ର ଧାରା ୨୫(୧)(ଏ)ରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ରାଜ୍ୟରେ ଛାନଭିନ୍ ଜାରି ରଖିଥିଲା। ଶେଷରେ, ଗତ ଜୁନ୍ ୨୪ ତାରିଖରେ ତାମିଲନାଡୁର କନ୍ୟାକୁମାରୀରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ଗୁଣ୍ଟର ଜିଲ୍ଲାର ମଧୁ ଜନ୍ ପାଉଲ ଓରଫ ଜଗଦୀଶ ଏବଂ ତାଙ୍କ ସହଯୋଗୀ ଇନ୍ତୁରି ଅରୁଣା ଓରଫ ଅର୍ଚ୍ଚନା। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨୦୦ ଗ୍ରାମ ସୁନା, ୨ଟି ପିସ୍ତଲ, ୯ ରାଉଣ୍ଡ ଗୁଳି, ଗୋଟିଏ ଲାପଟପ୍, ଗୋଟିଏ ମୋଟରସାଇକେଲ ଏବଂ ଏକ ଡିଜିଟାଲ୍ ଓଜନ ମେସିନ୍ ଜବତ କରିଛି। ମାଲକାନଗିରି ଏସ୍ପି ବିନୋଦ ପାଟିଲ କହିଛନ୍ତି, ଦୀର୍ଘ ତଦନ୍ତ ଓ ଗୁଇନ୍ଦା ସୂଚନା ଆଧାରରେ ଏହି ଅଭିଯାନ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମାମଲାରେ ଆହୁରି ତଦନ୍ତ ଜାରି ରହିଛି।
