Odisha Loses Its Pride : ଜଗା-କାଳିଆଙ୍କୁ ନୂଆ ଜୀବନ ଦେଇଥିବା ମହାନ ଡାକ୍ତରଙ୍କ ଦେହାନ୍ତ
ଜଣେ ମହାନ ଚିକିତ୍ସକ ଓ ଓଡ଼ିଶାର ଗର୍ବଙ୍କୁ ହରାଇ ଚିକିତ୍ସା ଜଗତ ଆଜି ଶୋକାକୁଳ। ଆପଣଙ୍କ ଅମୂଲ୍ୟ ଅବଦାନ ସବୁଦିନ ଅମର ହୋଇ ରହିବ। ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ରଙ୍କର ପରଲୋକ ଘଟିଛି। ଗତକାଲି ରାତିରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଦେଶର ଚିକିତ୍ସା ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି।
ପ୍ରଫେସର ମହାପାତ୍ର ଗ୍ଲିଓବ୍ଲାଷ୍ଟୋମା ନାମକ ଏକ ଜଟିଳ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଅକ୍ଟୋବର ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ପତ୍ନୀ ଓ ଏକମାତ୍ର କନ୍ୟା ନିକଟରେ ଉପସ୍ଥିତ ଥିଲେ। ତାଙ୍କ ମରଶରୀର ଆଜି ଭୁବନେଶ୍ୱରକୁ ଅଣାଯାଇ ଏଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଜଗା-କାଳିଆଙ୍କ ଐତିହାସିକ ଅସ୍ତ୍ରୋପଚାରର ନେଇଥିଲେ ନେତୃତ୍ୱ
ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅସାଧାରଣ ପାରଦର୍ଶିତା ପାଇଁ ପରିଚିତ ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ବିଭାଗର ମୁଖ୍ୟ ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଥିଲେ। ଅନେକ ଜଟିଳ ଅସ୍ତ୍ରୋପଚାରରେ ସେ ନେତୃତ୍ୱ ନେଇ ନିଜର ଚିକିତ୍ସା ଦକ୍ଷତାର ପରିଚୟ ଦେଇଥିଲେ। ବିଶେଷକରି ୨୦୧୭ ମସିହାରେ ଓଡ଼ିଶାର ଯମଜ ଶିଶୁ ଜଗା ଓ କାଳିଆଙ୍କୁ ପୃଥକ୍ କରିବା ପାଇଁ ଦିଲ୍ଲୀ ଏମ୍ସରେ ହୋଇଥିବା ଦୀର୍ଘ ୧୬ ଘଣ୍ଟାର ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ। ମୁଣ୍ଡ ଯୋଡ଼ି ହୋଇ ଜନ୍ମ ନେଇଥିବା ଏହି ଦୁଇ ଶିଶୁଙ୍କୁ ସଫଳତାର ସହ ପୃଥକ୍ କରିବା ଭାରତୀୟ ଚିକିତ୍ସା ଇତିହାସର ଏକ ସ୍ମରଣୀୟ ଘଟଣା ଭାବେ ରହିଛି।

ଓଡ଼ିଶାର ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାରେ ଅତୁଳନୀୟ ଅବଦାନ
ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ମହାପାତ୍ର ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ନୂଆଦିଲ୍ଲୀ ଏମ୍ସରେ ଉଚ୍ଚତର ପ୍ରଶିକ୍ଷଣ ଗ୍ରହଣ କରି ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ନୂଆଦିଲ୍ଲୀ ଏମ୍ସରେ ଦୀର୍ଘଦିନ କାର୍ଯ୍ୟ କରିବା ପରେ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନ (SGPGIIMS)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠା ଓ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେ ଏହାର ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ। ଅବସର ପରେ ସେ ସୋଆ ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ। ପରେ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ ମାର୍ଗଦର୍ଶନ ଜାରି ରଖିଥିଲେ।
ପଦ୍ମଶ୍ରୀ ସମେତ ଅନେକ ଜାତୀୟ ସମ୍ମାନରେ ସମ୍ମାନିତ
ଚିକିତ୍ସା ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ୨୦୨୪ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ' ପ୍ରଦାନ କରିଥିଲେ। ଏହା ବ୍ୟତୀତ ୨୦୦୮ରେ ଡଃ ବି.ସି. ରାୟ ଜାତୀୟ ପୁରସ୍କାର ଏବଂ ୨୦୨୨ରେ ସି.ଭି. ରମଣ ପୁରସ୍କାର ଫର୍ ସାଇଣ୍ଟିଫିକ୍ ଏକ୍ସଲେନ୍ସ ସମେତ ଅନେକ ସମ୍ମାନ ଓ ସ୍ୱୀକୃତି ଲାଭ କରିଥିଲେ।ଗବେଷଣା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ସେ ୧୦୦ରୁ ଅଧିକ ବୈଜ୍ଞାନିକ ଗବେଷଣା ପ୍ରବନ୍ଧ ରଚନା କରିଥିଲେ। ତାଙ୍କର ଗବେଷଣା, ଶିକ୍ଷାଦାନ ଓ ଚିକିତ୍ସା ଅଭିଜ୍ଞତା ଅନେକ ଯୁବ ଡାକ୍ତର ଏବଂ ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କୁ ପ୍ରେରଣା ଯୋଗାଇଥିଲା।

ସୋଆ ପରିବାରରେ ଗଭୀର ଶୋକ
ପ୍ରଫେସର ମହାପାତ୍ରଙ୍କ ବିୟୋଗରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏହି ବିୟୋଗକୁ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଭିହିତ କରିଛନ୍ତି। ଏକ ଶୋକବାର୍ତ୍ତାରେ ପ୍ରଫେସର ନାୟକ କହିଛନ୍ତି ଯେ ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ପ୍ରଫେସର ମହାପାତ୍ର ଜଣେ ବିଶାଳ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଅସାଧାରଣ ପାଣ୍ଡିତ୍ୟ, ଚିକିତ୍ସା ଦକ୍ଷତା ଓ ଦୂରଦୃଷ୍ଟି ଅନେକଙ୍କୁ ପ୍ରେରଣା ଯୋଗାଇଥିଲା। ତାଙ୍କ ଅନୁପସ୍ଥିତି ଚିକିତ୍ସା ଜଗତ ଏବଂ ତାଙ୍କ ସହ ଜଡ଼ିତ ସମସ୍ତଙ୍କ ପାଇଁ ଗଭୀର ଭାବେ ଅନୁଭୂତ ହେବ ବୋଲି ସେ କହିଛନ୍ତି।ସେହିପରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଶୋକବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ପ୍ରଫେସର ମହାପାତ୍ରଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିଛନ୍ତି। ତାଙ୍କର ମାର୍ଗଦର୍ଶନ ସୋଆର ଶୈକ୍ଷିକ ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ସ୍ନାୟୁଶଲ୍ୟ ଚିକିତ୍ସାରେ ପାରଦର୍ଶିତା, ଗବେଷଣା ପ୍ରତି ନିଷ୍ଠା, ଡାକ୍ତରୀ ଶିକ୍ଷାର ବିକାଶ ଏବଂ ସ୍ୱାସ୍ଥ୍ୟସେବା ପ୍ରଶାସନରେ ଦକ୍ଷତା ପାଇଁ ପ୍ରଫେସର ଅଶୋକ କୁମାର ମହାପାତ୍ର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ତାଙ୍କର ଜୀବନ ଓ କର୍ମ ଆଗାମୀ ପିଢ଼ିର ଡାକ୍ତର, ଗବେଷକ ଏବଂ ଚିକିତ୍ସା ବିଜ୍ଞାନର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
