ଇନ୍ଦୋରର ଚର୍ଚ୍ଚିତ ଶିବାନୀ ହତ୍ୟା ମାମଲା: ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
ମଧ୍ୟପ୍ରଦେଶର ଇନ୍ଦୋରରେ ୨୦୧୯ ମସିହାରେ ଘଟିଥିବା ଚର୍ଚ୍ଚିତ ଶିବାନୀ ପାଟେରିଆ ହତ୍ୟା ମାମଲାରେ ଇନ୍ଦୋର ଜିଲ୍ଲା ଅଦାଲତ ଅଭିଯୁକ୍ତ ସ୍ୱାମୀ ଅମିତେଶ ପାଟେରିଆଙ୍କୁ ଆଜୀବନ ଦେଇଛନ୍ତି।

ଇନ୍ଦୋର: ଚର୍ଚ୍ଚିତ ଶିବାନୀ ପାଟେରିଆ ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ । ମଧ୍ୟପ୍ରଦେଶର ଇନ୍ଦୋରରେ ୨୦୧୯ ମସିହାରେ ଘଟିଥିବା ଚର୍ଚ୍ଚିତ ଶିବାନୀ ପାଟେରିଆ ହତ୍ୟା ମାମଲାରେ ଇନ୍ଦୋର ଜିଲ୍ଲା ଅଦାଲତ ଅଭିଯୁକ୍ତ ସ୍ୱାମୀ ଅମିତେଶ ଅର୍ଥାତ୍ ଶାଲୁ ପାଟେରିଆଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ପ୍ରାୟ ସାଢ଼େ ଛଅ ବର୍ଷ ଧରି ଚାଲିଥିବା ଶୁଣାଣି ପରେ ଅଦାଲତ ଏହି ରାୟ ଦେଇଥିଲେ। ଅଦାଲତରେ ପ୍ରମାଣିତ ହୋଇଥିଲା ଯେ, ବ୍ୟାଙ୍କ ଅଧିକାରୀ ଅମିତେଶ ପୂର୍ବରୁ ଯୋଜନା କରି ରାଜସ୍ଥାନର ଅଲୱାରରୁ ପ୍ରାୟ ୩୦ ହଜାର ଟଙ୍କାରେ ଏକ ବିଷଧର କୋବ୍ରା ସାପ କିଣି ଆଣିଥିଲେ। ସେ ସାପଟିକୁ ୧୧ ଦିନ ଘରେ ଲୁଚାଇ ରଖିଥିଲେ। ସୁଯୋଗ ପାଇ ତକିଆ ଦ୍ୱାରା ସ୍ତ୍ରୀ ଶିବାନୀଙ୍କୁ ଶ୍ୱାସରୋଧ କରି ହତ୍ୟା କରିଥିଲେ। ହତ୍ୟା ପରେ ପରେ ସାପଟିକୁ ମାରି ତାହାର ଦାନ୍ତକୁ ଶିବାନୀଙ୍କ ହାତରେ ଲଗାଇ ଏହାକୁ ସାପ କାମୁଡ଼ାରେ ମୃତ୍ୟୁ ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ। ୨୦୧୯ ଡିସେମ୍ବର ୧ରେ ଶିବାନୀଙ୍କୁ ଇନ୍ଦୋରର ଏମ୍ୱାଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅମିତେଶ ଡାକ୍ତରମାନଙ୍କୁ କହିଥିଲେ ଯେ ସାପ କାମୁଡ଼ିବାରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଶିବାନୀଙ୍କ ପରିବାର ସନ୍ଦେହ ପ୍ରକାଶ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଯେ ଶିବାନୀଙ୍କ ମୃତ୍ୟୁ ସାପ ବିଷରେ ନୁହେଁ, ବରଂ ତକିଆ କିମ୍ବା ଅନ୍ୟ ବସ୍ତୁ ଦ୍ୱାରା ମୁହଁ ଚାପି ଶ୍ୱାସରୋଧ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ ଶଯ୍ୟା, ତକିଆ କଭର, ତକିଆ କଭରରେ ଲାଳା, ମୃତ ସାପ ଓ ଅନ୍ୟାନ୍ୟ ଫରେନସିକ୍ ପ୍ରମାଣ, କଲ୍ ରେକର୍ଡ, ଭଏସ୍ ରେକର୍ଡିଂ ଏବଂ ସାକ୍ଷୀଙ୍କ ବୟାନ ମିଶି ଅଭିଯୁକ୍ତଙ୍କ ଷଡଯନ୍ତ୍ରକୁ ପ୍ରମାଣ କରିଥିଲା। ଅଭିଯୁକ୍ତ ଅମିତେଶ ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂ, କଲ୍ ରେକର୍ଡ, ଭଏସ୍ ସାମ୍ପଲ, ଫରେନସିକ୍ ରିପୋର୍ଟ ଏବଂ ସାକ୍ଷୀଙ୍କ ବୟାନ ଅଦାଲତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରାଯାଇଥିଲା। ପ୍ରାରମ୍ଭରେ ଅମିତେଶ ପୋଲିସକୁ ଭ୍ରମିତ କରିଥିଲେ। କିନ୍ତୁ ଦୁଇ ଦିନର ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ପାରିବାରିକ କଳହ କାରଣରୁ ସେ ଶିବାନୀଙ୍କୁ ତକିଆ ଦ୍ୱାରା ହତ୍ୟା କରିଥିଲେ ଏବଂ ପରେ ସାପକୁ ବ୍ୟବହାର କରି ଘଟଣାକୁ ଦୁର୍ଘଟଣା ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ। ଏହି ମାମଲାରେ ଏକ ସଂରକ୍ଷିତ ବନ୍ୟଜନ୍ତୁ (କୋବ୍ରା)କୁ ବେଆଇନ ଭାବେ ହତ୍ୟା କରାଯାଇଥିବାରୁ ଅମିତେଶଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ପଶୁ ଚିକିତ୍ସକଙ୍କ ରିପୋର୍ଟରେ ମୃତ ସାପଟି ଏକ ବିଷଧର କୋବ୍ରା ବୋଲି ପ୍ରମାଣିତ ହୋଇଥିଲା। ଅଦାଲତ ହତ୍ୟା ମାମଲାରେ ଅମିତେଶଙ୍କୁ ଆଜୀବନ କାରାଦଣ୍ଡ ସହ ସାପକୁ ଅବୈଧ ଭାବେ ହତ୍ୟା କରିବା ପାଇଁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ୩ ବର୍ଷର କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦେଇଥିଲେ। ପ୍ରମାଣ ନଷ୍ଟ କରିବା ଅପରାଧରେ ଆଉ ୨ ବର୍ଷର କାରାଦଣ୍ଡ ମଧ୍ୟ ଦିଆଯାଇଛି।
