ତୁର୍କୀରେ କଳାହାଣ୍ଡି ପୁଅର କମାଲ, ଭାରତ ପାଇଁ ୩ଟି ପଦକ
ତୁର୍କୀର ମରସିନରେ ଆୟୋଜିତ "ୱାର୍ଲ୍ଡ ଆବିଲିଟିସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬" ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୁଅ ଆକାଶ ରଞ୍ଜନ । ନିଜର ପ୍ରତିଭା ବଳରେ ଭାରତ ପାଇଁ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ । ନିଜ ଜନ୍ମମାଟିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ।
କଳାହାଣ୍ଡି: ତୁର୍କୀରେ ଓଡ଼ିଆ ପୁଅର କମାଲ । କଳାହାଣ୍ଡି ମାଟି ପାଇଁ ପୁଣି ଏକ ଗର୍ବ ଓ ଗୌରବର ଆଣିଲେ ଆକାଶ ରଞ୍ଜନ। ତୁର୍କୀର ମରସିନ ସହରରେ ଆୟୋଜିତ "ୱାର୍ଲ୍ଡ ଆବିଲିଟିସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬" ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୁଅ ଆକାଶ ରଞ୍ଜନ ବିଶ୍ୱସ୍ତରରେ ଇତିହାସ ରଚିଛନ୍ତି। ନିଜର ଅସାଧାରଣ ପ୍ରତିଭା ବଳରେ ସେ ଭାରତ ପାଇଁ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟର ନାଁ ରଖିଛନ୍ତି। ବିଶ୍ୱ ମଞ୍ଚରେ ସଫଳତାର ପତାକା ଉଡ଼ାଇ ନିଜ ଜନ୍ମମାଟି କଳାହାଣ୍ଡିକୁ ଫେରିବା ପରେ ଆକାଶ ରଞ୍ଜନଙ୍କୁ କଲେଜ ଛକଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ପରିବାର ଲୋକ, ସ୍ଥାନୀୟ ଲୋକେ, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ଫୁଲମାଳ, ବାଜା-ବାଜଣା ଓ ଘୁମୁରା ବାଦ୍ୟ ସହିତ ତାଙ୍କୁ ସହର ପରିକ୍ରମା କରାଇ ସମ୍ମାନିତ କରିଛନ୍ତି। ଶାରୀରିକ ପ୍ରତିକୂଳତାକୁ ପଛରେ ପକାଇ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଥିବା ଆକାଶ ରଞ୍ଜନ ଆଜି ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛି । ଆଗାମୀ ଦିନରେ ସେ ଦେଶ ପାଇଁ ଆହୁରି ଅନେକ ସଫଳତା ଆଣିବେ ବୋଲି ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆକାଶ ରଞ୍ଜନ ଗୌରବ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଛି ।
