Asian Para Games 2026 : ଜାପାନ ମାଟିରେ ଭାରତର ବିଜୟ ଗର୍ଜନ
ଏସିଆନ୍ ଗେମ୍ସରେ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିନେଇଛି! ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଅସାଧାରଣ ଖେଳ କୌଶଳ ବଳରେ ଖେଳାଳିମାନେ ଜିତିଛନ୍ତି ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ।

ରାକେଟ୍ରେ ରଚିଲେ ଇତିହାସ, ବିଶ୍ୱ ଦରବାରରେ ଉଚ୍ଚ କଲେ ଭାରତର ନାଁ | ଜାପାନର ଆଇଚି-ନାଗୋୟାରେ ଚାଲିଥିବା ପାରା ଏସିଆନ୍ ଗେମ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗତ ଶୁକ୍ରବାର ସକାଳେ ଭାରତ ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ଜିତିଛି। ଖେଳର ଅନ୍ତିମ ପର୍ଯ୍ୟାୟରେ ଭାରତ ଅଧିକରୁ ଅଧିକ ପଦକ ଜିତିବା ଆଶା ରଖିଥିବା ବେଳେ, ସକାଳୁ ହିଁ ପଦକ ବର୍ଷା ଆରମ୍ଭ ହୋଇଛି । ବ୍ୟାଡମିଣ୍ଟନ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି |
ଅଲ୍ ଇଣ୍ଡିଆ ଫାଇନାଲରେ ନୀତେଶଙ୍କୁ ସ୍ୱର୍ଣ୍ଣ
ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ନୀତେଶ କୁମାର ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ (SL3) ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗର ଫାଇନାଲ୍ରେ ତାଙ୍କ ମୁକାବିଲା ଭାରତର ଅଭିଜ୍ଞ ଖେଳାଳି ତଥା ପାରାଲିମ୍ପିକ୍ ଚାମ୍ପିୟନ୍ ପ୍ରମୋଦ ଭଗତଙ୍କ ସହ ହୋଇଥିଲା। ନୀତେଶ ୨୧-୧୮ ଓ ୨୧-୧୬ ସିଧାସଳଖ ଦୁଇଟି ଗେମ୍ରେ ପ୍ରମୋଦଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଅନ୍ୟପକ୍ଷରେ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତ ପାଇଁ ଖୁସିର କଥା ହେଉଛି, ଏହି ବର୍ଗରେ ସ୍ୱର୍ଣ୍ଣ ଓ ରୌପ୍ୟ ଉଭୟ ପଦକ ଭାରତୀୟ ଖେଳାଳିଙ୍କ ଖାତାକୁ ଯାଇଛି।
ନବୀନ ମଧ୍ୟ ଜିତିଲେ ସ୍ୱର୍ଣ୍ଣ, ସୁମତିଙ୍କୁ ରୌପ୍ୟ
ନୀତେଶଙ୍କ ବ୍ୟତୀତ ଭାରତର ନବୀନ ଶିବକୁମାର ମଧ୍ୟ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୪ (SL4) ଇଭେଣ୍ଟରେ ଇଣ୍ଡୋନେସିଆର ଫ୍ରେଡି ସେତିଆୱାନଙ୍କୁ ୨୧-୯, ୨୧-୧୭ ସେଟ୍ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍ରେ ନବୀନ ଏକତରଫା ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ମହିଳା ବର୍ଗରେ ଭାରତର ସୁମତି ଶିବନଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମହିଳା ଏସ୍ଏଚ୍-୬ (SH6) ବର୍ଗରେ ସୁମତି ଚୀନ୍ର ଫେଙ୍ଗମେଇ ଲିଙ୍କଠାରୁ ୧୨-୨୧, ୧୩-୨୧ ସେଟ୍ରେ ପରାସ୍ତ ହୋଇଥିଲେ। ଚୀନ୍ର ଏହି ଶକ୍ତିଶାଳୀ ଖେଳାଳିଙ୍କ ବିପକ୍ଷରେ ଭାରତୀୟ ଖେଳାଳି ଅଧିକ ପ୍ରତିଦ୍ୱନ୍ଦ୍ୱିତା କରିପାରି ନଥିଲେ।
