Pragyan Ojha Chief Selector:ଭାରତୀୟ ଦଳର ନୂଆ ମୁଖ୍ୟ ଚୟନକର୍ତ୍ତା ପ୍ରଜ୍ଞାନ ଓଝା
ବିସିସିଆଇ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛି। ୨୦୨୩ ଜୁଲାଇରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଦଳ ଅନେକ ବଡ଼ ସଫଳତା ହାସଲ କରିଛି। ଅଗରକରଙ୍କ ଅଧ୍ୟାୟ ଶେଷ ହେବାପରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ନୂଆ ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା। ତାଙ୍କ ସହ ଚୟନ ପ୍ୟାନେଲ୍ରେ ରମେଶ ପୱାରଙ୍କ ପ୍ରବେଶ ମଧ୍ୟ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ାଇଛି।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆଣିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।ସେ ଅଜିତ ଅଗରକରଙ୍କ ସ୍ଥାନ ନେଇଛନ୍ତି। ସୋମବାର, ଅକ୍ଟୋବର ୧୯ରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ନିଷ୍ପତ୍ତି ସ୍ପଷ୍ଟ କରିଛି। ଚୟନ କମିଟିରେ ବରିଷ୍ଠତାକୁ ଗୁରୁତ୍ୱ ଦେଇ ପ୍ରଜ୍ଞାନ ଓଝାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କମିଟିର ଅନ୍ୟ ସଦସ୍ୟଙ୍କ ତୁଳନାରେ ସେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଛି।
ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି)ରେ ସାମିଲ ଥିବା ଅଶୋକ ମଲହୋତ୍ରା ଓ ଜତିନ ପରାଞ୍ଜପେ ଚୟନ କମିଟିର ନୂଆ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଉଭୟ ଆବେଦନକାରୀଙ୍କ ସାକ୍ଷାତକାର ନେବା ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରମେଶ ପୱାରଙ୍କ ନାମ ସୁପାରିସ କରିଥିଲେ। ଏହାପରେ ତାଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି।ଅନ୍ତର୍ଜାତୀୟ କ୍ରିକେଟ୍ରେ ରମେଶ ପୱାର ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟ୍ରୁ ଅବସର ନେବା ପରେ ସେ କୋଚିଂ କ୍ଷେତ୍ରରେ ପାଦ ଦେଇଥିଲେ। ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଏବେ ବିସିସିଆଇର ପୁରୁଷ ଦଳ ଚୟନ କମିଟିରେ ତାଙ୍କ ସାମିଲ ହେବା ତାଙ୍କ କ୍ରିକେଟ୍ ଯାତ୍ରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।
ବିସିସିଆଇ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅବଦାନକୁ ଆନୁଷ୍ଠାନିକ ଭାବେ ପ୍ରଶଂସା କରିବା ସହ ତାଙ୍କ କାର୍ଯ୍ୟକାଳର ପ୍ରମୁଖ ସଫଳତାଗୁଡ଼ିକର ଉଲ୍ଲେଖ କରିଛି। ୨୦୨୩ ଜୁଲାଇରେ ଚୟନ କମିଟିର ଦାୟିତ୍ୱ ନେଇଥିବା ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସହ ମୋଟ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଟାଇଟଲ୍ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇଥିଲା। ତାଙ୍କ ଅବଦାନକୁ ସ୍ୱୀକାର କରି ବୋର୍ଡ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛି।
ଭାରତୀୟ ପୁରୁଷ କ୍ରିକେଟ୍ ଦଳର ନୂଆ ଚୟନ କମିଟିରେ ପ୍ରଜ୍ଞାନ ଓଝା ଅଧ୍ୟକ୍ଷ ହୋଇଥିବାବେଳେ ଶିବସୁନ୍ଦର ଦାସ, ଆର୍ପି ସିଂ, ଅଜୟ ରାତ୍ରା ଓ ରମେଶ ପୱାର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।
