Pollard MI Head Coach:ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ କିରନ୍ ପୋଲାର୍ଡ
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ନିଷ୍ପତ୍ତି। ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରନ୍ ପୋଲାର୍ଡଙ୍କୁ ମିଳିଛି ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ। ଖେଳାଳି ଓ ବ୍ୟାଟିଂ କୋଚ୍ ଭାବେ ଦଳ ସହ ଦୀର୍ଘ ସମ୍ପର୍କ ରଖିଥିବା ପୋଲାର୍ଡଙ୍କ ଉପରେ ଏବେ ଦଳକୁ ପୁଣି ଚାମ୍ପିଅନ୍ କରିବାର ଦାୟିତ୍ୱ। ୭ ବର୍ଷର ଟ୍ରଫି ମରୁଡ଼ି ଶେଷ ହେବ ନେଇ ଆଶା |
ମୁମ୍ବାଇ:ଆଇପିଏଲ୍ ୨୦୨୭ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରନ୍ ପୋଲାର୍ଡଙ୍କୁ ନିଯୁକ୍ତ କରିଛି। ଅକ୍ଟୋବର ୨୪, ଶନିବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ସେ ମହେଲା ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ। ଅକ୍ଟୋବର ୧୭ରେ ଜୟବର୍ଦ୍ଧନେ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା ନେଇ ମୁମ୍ବାଇ ଇଣ୍ଡିଆନ୍ସ ଘୋଷଣା କରିଥିଲା। ତେବେ ତାଙ୍କ ବିଦାୟ ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଫ୍ରାଞ୍ଚାଇଜ୍ ସାର୍ବଜନୀନ କରିନାହିଁ। ପୋଲାର୍ଡଙ୍କ ପାଇଁ ଏହି ଦାୟିତ୍ୱ ନୂଆ ହେଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ନୁହେଁ। ୨୦୦୯-୧୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଆଇପିଏଲ୍ରେ କେବଳ ମୁମ୍ବାଇ ପାଇଁ ଖେଳିଥିଲେ। ଦଳର ପାଞ୍ଚଟି ଆଇପିଏଲ୍ ଟାଇଟଲ୍ର ସଫଳ ଯାତ୍ରାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଖେଳାଳି ଭାବେ ଅବସର ନେବା ପରେ ସେ ଦଳର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ସମଗ୍ର ଦଳର ରଣନୀତି ଓ ପ୍ରଦର୍ଶନର ଦାୟିତ୍ୱ ତୁଲାଇବାକୁ ପଡ଼ିବ। ମୁମ୍ବାଇ ଇଣ୍ଡିଆନ୍ସ ଶେଷଥର ପାଇଁ ୨୦୨୦ରେ ଆଇପିଏଲ୍ ଟ୍ରଫି ଜିତିଥିଲା। ଦଳର ପାଞ୍ଚଟି ଟାଇଟଲ୍ ଥିବା ସତ୍ତ୍ୱେ ଗତ କିଛି ବର୍ଷରେ ପ୍ରଦର୍ଶନରେ ଉତ୍ଥାନ-ପତନ ଦେଖିବାକୁ ମିଳିଛି। ତେଣୁ ପୋଲାର୍ଡଙ୍କ ପ୍ରଥମ ଲକ୍ଷ୍ୟ ହେବ ଦଳରେ ସ୍ଥିରତା ଆଣିବା, ଯୁବ ଖେଳାଳିଙ୍କୁ ବିକଶିତ କରିବା ଓ ଟ୍ରଫି ଜିତିବାର ଧାରାକୁ ଫେରାଇ ଆଣିବା। ପୋଲାର୍ଡ ଏହି ନୂଆ ଦାୟିତ୍ୱ ପାଇଁ ଖୁସି ପ୍ରକାଶ କରିବା ସହ ନୀତା ଅମ୍ବାନୀ, ଆକାଶ ଅମ୍ବାନୀ ଓ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ଦଳର ପରମ୍ପରାକୁ ଆଗକୁ ନେବା ଏବଂ ପ୍ରଶଂସକଙ୍କୁ ପୁଣି ଉତ୍ସବ ପାଳନର ସୁଯୋଗ ଦେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏବେ ଦେଖିବାକୁ ରହିଲା, ପୋଲାର୍ଡଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୭ରେ ପୁଣି ଚାମ୍ପିଅନ୍ ହୋଇପାରୁଛି କି ନାହିଁ।
