India-Russia Defence Ties:ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ସାମୁଦ୍ରିକ ସହଯୋଗ ବୃଦ୍ଧି
ବଦଳୁଥିବା ବୈଶ୍ୱିକ ଭୂ-ରାଜନୀତି ମଧ୍ୟରେ ଏବେବି ନୂଆଦିଲ୍ଲୀ ଏବଂ ମସ୍କୋ ନିଜର ସାମରିକ ବନ୍ଧୁତାକୁ ସୁଦୃଢ଼ ରଖିଥିବାବେଳେ, ଭାରତ ଏବଂ ରୁଷିଆ ନୌସେନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ରୁଷିଆ ନୌସେନାର ଏକ ପ୍ରତିନିଧି ଦଳ ଭାରତ ଆସିଛନ୍ତି। କେରଳ ସ୍ଥିତ ଦକ୍ଷିଣ ନୌସେନା କମାଣ୍ଡ ଏବଂ ଇଣ୍ଡିଆନ ନାଭାଲ ଏକାଡେମୀରେ ରୁଷ ନୌସେନାର ପ୍ରତିନିଧି ଦଳ ପହଞ୍ଚି ଭାରତର ସାମୁଦ୍ରିକ ପ୍ରଶିକ୍ଷଣ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି, ଯାହା ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ମିଳିତ ସାମୁଦ୍ରିକ ସୁରକ୍ଷାକୁ ଏକ ନୂଆ ଦିଗ ଦେବ।
ନୂଆଦିଲ୍ଲୀ : ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବାପାଇଁ ରୁଷିଆ ନୌସେନାର ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଥମ ର୍ୟାଙ୍କ କ୍ୟାପଟେନ ସର୍ଗେଇ ଭି. ସାଇତୋଭଙ୍କ ନେତୃତ୍ୱରେ ଏହି୬ ଜଣିଆ ରୁଷିଆ ପ୍ରତିନିଧି ଦଳ, କେରଳରେ ଥିବା ଦକ୍ଷିଣ ନୌସେନା କମାଣ୍ଡ ଏବଂ ଇଣ୍ଡିଆନ ନାଭାଲ ଏକାଡେମୀ ପରିଦର୍ଶନ କରିଛନ୍ତି। ଭାରତୀୟ ନୌସେନା ଆଜି ଶନିବାର ସୋସିଆଲ ମିଡିଆ 'X' ମାଧ୍ୟମରେ ଦେଇଥିବା ସୂଚନା ଅନୁଯାୟୀ,ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତ କାଳରେ ରୁଷ ପ୍ରତିନିଧି ଦଳ ଭାରତୀୟ ନୌସେନାର ମୁଖ୍ୟ ପ୍ରଶିକ୍ଷଣ କାଠାମୋ, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ସାମରିକ ପ୍ରଶିକ୍ଷଣ ସୁବିଧାର ବାର୍ଷିକ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଦୁଇ ଦେଶର ନୌସେନା ଅଧିକାରୀଙ୍କ ମଧ୍ୟରେ ସାମୁଦ୍ରିକ ସହଯୋଗ ବୃଦ୍ଧି ଓ ମିଳିତ କାର୍ଯ୍ୟଦକ୍ଷତା ବା ଇଣ୍ଟରଅପରେବିଲିଟି ବଢ଼ାଇବା ନେଇ ଆଲୋଚନା ହୋଇଛି | ଏହି ଗସ୍ତ ଭାରତ ଓ ରୁଷିଆର ଦୀର୍ଘଦିନର ନୌସେନା ସମ୍ପର୍କର ପ୍ରତିଫଳନ ଓ ଉଭୟ ଦେଶର ସାମରିକ ଓ ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ନୌସେନା କହିଛି |
ଏହି ସାମରିକ କୂଟନୀତି କେବଳ ସମୁଦ୍ର ମଧ୍ୟରେ ସୀମିତ ନାହିଁ, ବରଂ ଏହା ଉଭୟ ଦେଶର ବହୁମୁଖୀ ପ୍ରତିରକ୍ଷା ରଣନୀତିର ଏକ ଅଂଶ। ଏହା ଏକ ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନ୍ୟୁୟର୍କରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ମଧ୍ୟରେ ୟୁଏନ, ଜି-୨୦ ଏବଂ ବ୍ରିକ୍ସ (BRICS) ସହଯୋଗ ଉପରେ ଆଲୋଚନାରୁ ଜଣାପଡିଛି । ଗତ ମାସରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଧୀରଜ ସେଠ୍ ମଧ୍ୟ ରୁଷିଆ ଗସ୍ତ କରି ମସ୍କୋର 'ଟୋମ୍ବ ଅଫ୍ ଦି ଅନନୋନ୍ ସୋଲଜର'ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଗତ ୮ ବର୍ଷ ମଧ୍ୟରେ ଜଣେ ଭାରତୀୟ ସେନା ମୁଖ୍ୟଙ୍କର ଏହା ପ୍ରଥମ ରୁଷିଆ ଗସ୍ତ ଥିଲା ଓ ସେ ରୁଷର ପ୍ରତିରକ୍ଷା ଉପମନ୍ତ୍ରୀ ଏବଂ ଲ୍ୟାଣ୍ଡ ଫୋର୍ସ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଉଭୟ ଦେଶ ମିଳିତ ସାମରିକ ପ୍ରଶିକ୍ଷଣ ଏବଂ କ୍ଷମତା ବିକାଶ ଉପରେ ସହମତି ପ୍ରକାଶ କରିଛନ୍ତି। ନୌସେନା ଓ ସ୍ଥଳସେନାର ଏହି କ୍ରମାଗତ ଉଚ୍ଚସ୍ତରୀୟ ବୈଠକ ପ୍ରମାଣିତ କରୁଛି ଯେ ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପ ସତ୍ତ୍ୱେ ଭାରତ-ରୁଷିଆର "ବିଶେଷ ଏବଂ ସ୍ୱାଧିକାର ପ୍ରାପ୍ତ" ରଣନୈତିକ ସମ୍ପର୍କ ଆହୁରି ମଜଭୁତ ହେଉଛି |
