ଚର୍ଚ୍ଚାରେ ଚାରୁ- ଯେଉଁଠି ହାତ ଦେଲେ ସେଠି ସଫଳତା ଥୟ
ସଫଳତାର କୌଣସି ସର୍ଟକଟ ନାହିଁ। ନିୟମିତ ଅଧ୍ୟୟନ, ସଠିକ୍ ସମୟ ପରିଚାଳନା ଏବଂ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ମୂଳ ଚାବିକାଠି।

ଚାରୁଙ୍କ ପଛରେ ଗୋଡ଼ାଉଛି ସରକାରୀ ଚାକିରୀ!
୨୩ ବର୍ଷ ବୟସରେ ୧୯ ସରକାରୀ ଚାକିରୀ। ଯେଉଁ ପରୀକ୍ଷାରେ ହାତ ଦେଲେ, ସେଠି ପାଇଲେ ସଫଳ। ଛତିଶଗଡ଼ର ଚାରୁ ପାଣ୍ଡେଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଲୋକେ ଗୋଟିଏ ସରକାରୀ ଚାକିରୀ ପାଇବାକୁ ଲକ୍ଷ୍ୟ ରଖିଥାଆନ୍ତି। ହେଲେ ହାତଗଣତି ପାଇଥାଆନ୍ତି। କିନ୍ତୁ ଚାରୁ ନିଜର ଅଦମ୍ୟ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ବଳରେ ଏକ ଅସାଧାରଣ ସଫଳତା ହାସଲ କରି ଦେଶବ୍ୟାପୀ ଚର୍ଚ୍ଚାରେ ଆସିଛନ୍ତି। ମାତ୍ର ୨୩ ବର୍ଷ ବୟସରେ ସେ ୧୯ଟି ସରକାରୀ ନିଯୁକ୍ତି ପରୀକ୍ଷାରେ ସଫଳ ହୋଇ ଲକ୍ଷ ଲକ୍ଷ ପ୍ରତିଯୋଗୀଙ୍କ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଚାରୁଙ୍କ ଏହି ଅବିଶ୍ୱସନୀୟ ସଫଳତା କେବଳ ତାଙ୍କ ପରିବାରକୁ ନୁହେଁ, ସମଗ୍ର ଛତିଶଗଡ଼କୁ ମଧ୍ୟ ଗର୍ବିତ କରିଛି। ତାଙ୍କ ସଫଳତାର କାହାଣୀ ଆଜି ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଭାବେ ଭାଇରାଲ ହେଉଛି। ଚାରୁ ପାଣ୍ଡେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ସେ ନିଜ ଶିକ୍ଷାଜୀବନରେ ଉତ୍କୃଷ୍ଟ ଫଳାଫଳ ହାସଲ କରିଥିବାରୁ ରାଷ୍ଟ୍ରପତିଙ୍କ ହାତରୁ President's Gold Medal ପାଇ ସମ୍ମାନିତ ହୋଇଥିଲେ। ଏହି ସମ୍ମାନ ତାଙ୍କ ପ୍ରତିଭା ଓ ଅଧ୍ୟବସାୟର ଏକ ବଡ଼ ପ୍ରମାଣ ଦିଏ। ଚାରୁ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ସେ ଦେଇଥିବା ପରୀକ୍ଷା ଥିଲା- SSC CGL, SSC CHSL ,SSC MTS, SSC GD, SSC CPO, IBPS PO, SBI Clerk , RRB Group-D, RRB NTPC, Delhi Police Recruitment, Chhattisgarh Sub-Inspector, Transport Sub-Inspector, CG NHM ଓ NET-JRF ଆଦି ଅନେକ ପରୀକ୍ଷାରେ ଚୟନ ହେବା ପରେ ମଧ୍ୟ ସେ ନିଜ ଲକ୍ଷ୍ୟକୁ ଆହୁରି ଉଚ୍ଚ କରି ନିରନ୍ତର ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କ କହିବା ଅନୁସାରେ, ସଫଳତାର କୌଣସି ସର୍ଟକଟ ନାହିଁ। ନିୟମିତ ଅଧ୍ୟୟନ, ସଠିକ୍ ସମୟ ପରିଚାଳନା ଏବଂ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ମୂଳ ଚାବିକାଠି। ଚାରୁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ରୁଟିନ୍ ଅନୁସାରେ ପଢ଼ାଶୁଣା କରୁଥିଲେ। ସେ ପାଠ୍ୟକ୍ରମକୁ ଛୋଟ ଛୋଟ ଭାଗରେ ବିଭକ୍ତ କରି ପ୍ରସ୍ତୁତି କରୁଥିଲେ ଏବଂ ନିୟମିତ ଭାବେ ମକ୍ ଟେଷ୍ଟ ଦେଇ ନିଜର ଦୁର୍ବଳତା ଚିହ୍ନଟ କରୁଥିଲେ। ଏହା ତାଙ୍କୁ ବିଭିନ୍ନ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସହାୟତା କରିଥିଲା। ଚାରୁ କହିଛନ୍ତି ଯେ, ବିଫଳତାକୁ ଭୟ କରିବା ଉଚିତ ନୁହେଁ। ପ୍ରତ୍ୟେକ ବିଫଳତା ଆମକୁ ନୂଆ କିଛି ଶିଖାଇଥାଏ ଏବଂ ଆଗାମୀ ସଫଳତା ପାଇଁ ପ୍ରସ୍ତୁତ କରିଥାଏ। ସେ ଯୁବପିଢ଼ୀଙ୍କୁ ନିଜ ଲକ୍ଷ୍ୟ ଉପରେ ଫୋକସ୍ ରଖିବା ଏବଂ କଠିନ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ସଫଳତା ଆଜି ଦେଶର ଲକ୍ଷ ଲକ୍ଷ ଚାକିରି ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ପାଲଟିଛି। ଚାରୁଙ୍କ ପିତାଙ୍କ ନାମ ପ୍ରବୀଣ କୁମାର ପାଣ୍ଡେ ଓ ମାତାଙ୍କ ନାମ ସୁଧା ପାଣ୍ଡେ। ଛୋଟବେଳୁ ସେ ପଢ଼ାଶୁଣାରେ ମେଧାବୀ ଥିଲେ ଏବଂ ନିୟମିତ ଅଧ୍ୟୟନ ପାଇଁ ପରିଚିତ ଥିଲେ। ଚାରୁ ଏବେ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG) ବିଭାଗର ଚେନ୍ନାଇ କାର୍ଯ୍ୟାଳୟରେ Assistant Audit Officer (AAO) ଭାବେ କାର୍ଯ୍ୟରତ ଅଛନ୍ତି। ସେ ମେ ୨୦୨୫ରେ ଏହି ପଦରେ ଯୋଗ ଦେଇଥିଲେ।
