ଜୌହର ୟୁନିଭରସିଟିରେ ଚାଲିବ ବୁଲଡୋଜର!
ମେଡିକାଲ କଲେଜ ଓ ଏକାଡେମିକ ବ୍ଲକ୍ ବ୍ୟତୀତ ଅନ୍ୟ ସମସ୍ତ ଭବନ ଅନୁମୋଦିତ ନକ୍ସା ବିନା ନିର୍ମାଣ କରାଯାଇଥିଲା। ଜୌହର ୟୁନିଭରସିଟି ବାରମ୍ୱାର ବିବାଦ ଭିତରେ ରହିଆସିଛି। କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟର ଜମି, ନିର୍ମାଣ ଓ ଭୂମି ଅଧିଗ୍ରହଣ ସହ ଜଡ଼ିତ ମାମଲାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଏହି ଟ୍ରଷ୍ଟର ସଂସ୍ଥାପକ ତଥା ଚାନସେଲର ପୂର୍ବତନ ମନ୍ତ୍ରୀ ଆଜମ ଖାନ। ଏହାକୁ ଆଜମ ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଏ।

ଆଜମ ଖାନଙ୍କ ଜୌହର ୟୁନିଭରସିଟିରେ ଚାଲିବ ବୁଲଡୋଜର। ୟୁପିର ଯେଉଁ ୟୁନିଭରସିଟିର ଶିଳାନ୍ୟାସ କରିବାକୁ ଏକଦା ରାମପୁରରେ ୫୨ ମନ୍ତ୍ରୀଙ୍କ ସହ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୁଲାୟମ ଯାଦବ। ଆଉ ଏବେ ୪୦ରୁ ୩୮ଟି କୋଠରୀ ଉପରେ ଚାଲିବ ବୁଲଡୋଜର। ୟୁପିର ସବୁଠୁ ଚର୍ଚ୍ଚିତ ପ୍ରାଇଭେଟ ୟୁନିଭରସିଟି ଭିତରେ ମୌଲାନା ମହମ୍ମଦ ଅଲ୍ଲି ଜୋହର ୟୁନିଭରସିଟି ପୁଣି ଥରେ ଚର୍ଚ୍ଚାରେ। ବିଶ୍ୱବିଦ୍ୟାଳୟ ପରିସରରେ ତିଆରି ପ୍ରଶାସନିକ ଭବନ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେବ। ବିଶ୍ୱବିଦ୍ୟାଳୟର ୪୦ରୁ ୩୮ କୋଠରୀ ବିନା ସ୍ୱୀକୃତି ନକ୍ସାରେ ତିଆରି ହୋଇଥିଲା। ଏହା ପରେ ୧୫ ଦିନ ଭିତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜର ଅବୈଧ ନିର୍ମାଣ ହଟାଇବାକୁ ନିର୍ଦେଶ ଦିଆଯାଇଛି। ଯଦି ନିଜ ଆଡ଼ୁ ବିଶ୍ୱବିଦ୍ୟାଳୟ ଏହା କରିବନି, ତାହେଲେ ପ୍ରଶାସନ ବୁଲଡୋଜର ଆକ୍ସନ ନେବ। ରାମପୁର ବିକାଶ ପ୍ରାଧିକରଣ ତଦନ୍ତରେ ଜଣାପଡ଼ିଛି- ୪୦ରୁ କେବଳ ୨ଟି କୋଠରୀ ନକ୍ସା ଅନୁମୋଦିତରେ ତିଆରି ହୋଇଛି। ରାମପୁର ଡେଭଲପମେଣ୍ଟ ଅଥରିଟି (RDA) କହିଛି ଯେ ମେଡିକାଲ କଲେଜ ଓ ଏକାଡେମିକ ବ୍ଲକ୍ ବ୍ୟତୀତ ଅନ୍ୟ ସମସ୍ତ ଭବନ ଅନୁମୋଦିତ ନକ୍ସା ବିନା ନିର୍ମାଣ କରାଯାଇଥିଲା। ଜୌହର ୟୁନିଭରସିଟି ବାରମ୍ୱାର ବିବାଦ ଭିତରେ ରହିଆସିଛି। କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟର ଜମି, ନିର୍ମାଣ ଓ ଭୂମି ଅଧିଗ୍ରହଣ ସହ ଜଡ଼ିତ ମାମଲାକୁ ନେଇ ଚର୍ଚ୍ଚାରେ ରହିଆସିଛି। ଜମି କବଜା ଆରୋପରେ ୨୦୧୯ରେ ୨୬ ଚାଷୀ ମକଦ୍ଦମା କରିଥିଲେ। ପ୍ରଶାସନ ବି କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେତେବେଳେ ଆଜମଙ୍କୁ ଭୂମାଫିଆ ଘୋଷିତ କରାଯାଇଥିଲା। ଅନେକ ଚାଷୀଙ୍କୁ ସେମାନଙ୍କ ଜମି ଫେରସ୍ତ ବି କରାଯାଇଥିଲା। ଉତ୍ତର ପ୍ରଦେଶ ଲୋକ ନିର୍ମାଣ ବିଭାଗ (PWD) ବିଶ୍ୱବିଦ୍ୟାଳୟ ପରିସର ଦେଇ ଯାଇଥିବା ମୁଖ୍ୟ ରାସ୍ତାକୁ ସାର୍ବଜନୀନ ରାସ୍ତା ଘୋଷଣା କରି ସାଇନ୍ବୋର୍ଡ ଲଗାଇଛି। ଏହାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ସାର୍ବଜନୀକ ରାସ୍ତାରେ ତିଆରି ଅଂଶକୁ ବି ଭାଙ୍ଗି ରାସ୍ତା ଖୋଲାଯାଇଥିଲା। ମୌଲାନା ମହମ୍ମଦ ଅଲ୍ଲୀ ଜୌହର ୟୁନିଭରସିଟିର ଶିଳାନ୍ୟାସ ୧୮ ସେପ୍ଟେମ୍ୱର, ୨୦୦୬ର ରାମପୁରରେ ହୋଇଥିଲା। ସେତେବେଳେ ୟୁପିରେ ସପା ସରକାରରେ ଥିଲା। ୨୦୧୨ରେ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା। ଏହା ପରେ ୨୦୧୩ରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗ (NCMEI) ଏହାକୁ ସଂଖ୍ୟାଲଘୁ ଶିକ୍ଷାସଂସ୍ଥାର ମାନ୍ୟତା ଦେଇଥିଲା। ଏହା ୟୁଜିସି ମାନ୍ୟତା ବି ପାଇଛି। ଏହି ୟୁନିଭରସିଟିର ସଞ୍ଚାଳନ ମହମ୍ମଦ ଅଲ୍ଲୀ ଜୌହର ଟ୍ରଷ୍ଟ କରେ। ଏହି ଟ୍ରଷ୍ଟର ସଂସ୍ଥାପକ ତଥା ଚାନସେଲର ପୂର୍ବତନ ମନ୍ତ୍ରୀ ଆଜମ ଖାନ। ଏହାକୁ ଆଜମ ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଏ। ପ୍ରାୟ ୧୮୪ ଏକର ପରିମିତ ଜାଗାରେ ଥିବା ଏହି ୟୁନିଭରସିଟି ମୁଣ୍ଡ ଟେକିଛି। ୨୦୧୯ ପରଠାରୁ ଆଜମ ଖାନ ଓ ଜୌହର ଟ୍ରଷ୍ଟ ବିରୋଧରେ ଚାଷୀଙ୍କ ଜମି, ସରକାରୀ ଜମି ଏବଂ କଥିତ ‘ଏନିମି ପ୍ରୋପର୍ଟି’କୁ ବେଆଇନ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ସାମିଲ କରାଯାଇଥିବା ଅଭିଯୋଗରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଜମ ଖାନ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଆସୁଛନ୍ତି। ସରକାର କହୁଛନ୍ତି ଯେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ଆଇନ ଓ ନିର୍ମାଣ ନିୟମ ଉଲ୍ଲଂଘନ ବିରୋଧରେ ଗ୍ରହଣ କରାଯାଇଛି। ୨୦୨୩ରେ ଉତ୍ତର ପ୍ରଦେଶ ସରକାର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଏକ ଜମିର ଲିଜ୍ ବାତିଲ କରିଥିଲେ। ସରକାରଙ୍କ ଅଭିଯୋଗ ଥିଲା ଯେ ଗବେଷଣା ସଂସ୍ଥା ପାଇଁ ଦିଆଯାଇଥିବା ଜମିରେ ଲିଜ୍ ସର୍ତ୍ତ ଉଲ୍ଲଂଘନ କରି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ଆହ୍ଲାବାଦ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ ପଦକ୍ଷେପକୁ ବଳବତ୍ତର ରଖିଥିଲେ।
