Illegal Sand Mining : ବାଲି ମାଫିଆଙ୍କୁ ଝଟକା, ୪ ଟ୍ରାକ୍ଟର ଜବତ
ସୁବର୍ଣ୍ଣରେଖା ନଦୀପଠାରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ଦହମୁଣ୍ଡା ନିକଟରେ ଚଢ଼ାଉ କରି ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ଖଣି ବିଭାଗ |
ଆକ୍ସନ ମୋଡ଼ରେ ଖଣି ଅଧିକାରୀ | ସୁବର୍ଣ୍ଣରେଖା ନଦୀପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ଉପରେ ଖଣି ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଖଣି ବିଭାଗର ଅଧିକାରୀମାନେ ଦହମୁଣ୍ଡା ନିକଟରେ ଚଢ଼ାଉ କରି ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଟ୍ରାକ୍ଟରଗୁଡ଼ିକୁ କମର୍ଦ୍ଦା ଥାନାରେ ଜିମା ଦିଆଯାଇଛି। ସୂଚନା ଅନୁଯାୟୀ, ଖଣି ବିଭାଗର ଜୁନିଅର ଅଧିକାରୀ ଜଗନ୍ନାଥ ଦାସ ଓ ଅଭିଷେକଙ୍କ ନେତୃତ୍ୱରେ ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ଦୀର୍ଘଦିନ ଧରି ଦହମୁଣ୍ଡାସ୍ଥିତ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଓ ମାଟି ଉତ୍ତୋଳନ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ ସୂତ୍ର ଅନୁସାରେ, ଏହି ଅଞ୍ଚଳରୁ ପ୍ରତିଦିନ ବହୁ ସଂଖ୍ୟାରେ ବାଲି ଓ ମାଟି ବୋଝେଇ ଗାଡ଼ି ଯାତାୟାତ କରୁଥିଲା। ଏହି ବେଆଇନ କାରବାର ଯୋଗୁଁ ମାଫିଆମାନେ ବିପୁଳ ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ରହିଛି। ଖଣି ବିଭାଗର ଏହି ଅଚାନକ ଚଢ଼ାଉ ପରେ ବାଲି ଓ ମାଟି ଚାଲାଣରେ ସମ୍ପୃକ୍ତ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଗାମୀ ଦିନରେ ବେଆଇନ ଖଣିଜ ଉତ୍ତୋଳନ ଓ ଚାଲାଣ ଉପରେ ବିଭାଗ କିଭଳି ଅଙ୍କୁଶ ଲଗାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।ସୁବର୍ଣ୍ଣରେଖା ନଦୀପଠାରୁ ବେଆଇନ ବାଲି ଚାଲାଣ ଅଭିଯୋଗରେ ଦହମୁଣ୍ଡା ନିକଟରେ ଚଢ଼ାଉ କରି ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ଖଣି ବିଭାଗ।

