ଆଇଏଏସ ରିଙ୍କୁ ସିଂଙ୍କୁ ନୋଟିସ- ସୋସିଆଲ ମିଡିଆରେ କଲେ ହଙ୍ଗାମା
ତଦନ୍ତ ବେଳେ ବିନା ସୂଚନାରେ ଏସଡିଏମ ଭାବେ ପହଞ୍ଚି ହଙ୍ଗାମା କରିବା, ନୂଆ ତହସିଲ ଭବନରେ ଆବଣ୍ଟନ ହୋଇନଥିବା ସତ୍ତ୍ୱେ କଲେକଟ୍ରେଟ ସ୍ଥିତ ନିଜ ଅଫିସର ଫର୍ଣ୍ଣିଚର ନେଇ ପହଞ୍ଚିଯିବା, ସେଠାରେ ମିଡିଆ ଡାକି ହଙ୍ଗାମା କରିବା, ଓକିଲଙ୍କ ସହ ସଠିକ ଆଚରଣ ନ କରିବା ଆଦି ଅଭିଯୋଗ ରହିଛି। ରିଙ୍କୁ ଲେଖିଛନ୍ତି, ମିଳିଗଲା ପ୍ରେମପତ୍ର

ପୁଣି ଚର୍ଚ୍ଚାରେ ଆଇଏଏସ ରିଙ୍କୁ ସିଂ ରାହୀ। ଏଥର ରିଙ୍କୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ୧୫ ଦିନ ଭିତରେ ଜବାବ ଦେବାକୁ କୁହାଯାଇଛି। ଆଉ ନୋଟିସ ପାଇବା ପରେ ଏକ୍ସ-ରେ ରିଙ୍କୁ ଲେଖିଛନ୍ତି, ମିଳିଗଲା ପ୍ରେମପତ୍ର। ପୁରସ୍କାର ପାଇ ସେ ବେଶ୍ ଖୁସି। ୪ ଅଗଷ୍ଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓ ଏହାର ପର ଦିନ ହିଁ ମୋ ବିରୁଦ୍ଧରେ ପ୍ରଶାସନର ପ୍ରେମପତ୍ର ଆସିଗଲା। ଏହା ଏକ ସଂଯୋଗ ନା ଆଉ କିଛି ବୋଲି ପଚାରିଛନ୍ତି ରିଙ୍କୁ। ଏବେ ତ ଅଭ୍ୟାସରେ ପଡିଗଲିଣି ଏ ସବୁର। କିନ୍ତୁ ଏବେ ଦେଖିବାକୁ ପଡ଼ିବ, ଏଭଳି କେତେ ଅପାର ଖୁସି ଆଉ ସହିବାକୁ ପଡ଼ିବ। ଜାଲୌନରେ ଏସଡିଏମ୍ (ଜୁଡିସିଆଲ) ଥିବା ରିଙ୍କୁ ସିଂଙ୍କୁ ବିଭିନ୍ନ ବିବାଦରୁ ନୋଟିସ୍ କରାଯାଇଛି। ରାଜ୍ୟପାଳଙ୍କ ଆଦେଶରେ ଏହି ନୋଟିସ ସ୍ୱତନ୍ତ୍ର ସଚିବ ବିଜୟ କୁମାରଙ୍କ ପକ୍ଷରୁ ଅଗଷ୍ଟ ମାସରୁ ଜାରି ହୋଇଛି। ମେ ୫ରେ ରିଙ୍କୁ ସିଂଙ୍କୁ ଜାଲୌନ ତହସିଲରେ ଏସଡିଏମ ଭାବେ ନିଯୁକ୍ତି ଦିଆଯାଇଥିଲା। ଅଭିଯୋଗ ପରେ ତାଙ୍କୁ ସଦର ତହସିଲରେ ଜୁନ୍ ୩୦ରେ ନ୍ୟାୟିକ ଏସଡିଏମ ପଦକୁ ବଦଳି କରାଯାଇଥିଲା। ଉରୁଇ ପୌରପାଳିକାରେ ତଦନ୍ତ ବେଳେ ବିନା ସୂଚନାରେ ଏସଡିଏମ ଭାବେ ପହଞ୍ଚି ହଙ୍ଗାମା କରିବା, ନୂଆ ତହସିଲ ଭବନରେ ଆବଣ୍ଟନ ହୋଇନଥିବା ସତ୍ତ୍ୱେ କଲେକଟ୍ରେଟ ସ୍ଥିତ ନିଜ ଅଫିସର ଫର୍ଣ୍ଣିଚର ନେଇ ପହଞ୍ଚିଯିବା, ସେଠାରେ ମିଡିଆ ଡାକି ହଙ୍ଗାମା କରିବା, ଓକିଲଙ୍କ ସହ ସଠିକ ଆଚରଣ ନ କରିବା ଆଦି ଅଭିଯୋଗ ରହିଛି। ଏ ମାମଲାର ଯାଞ୍ଚ ଭାର ଏସଡିଏମ (ବିତ୍ତ ଏବଂ ରାଜସ୍ୱ) ରାଜୀବ ରାଜ ଓ ଏଏସପି ଇଶାନ୍ତ ସୋନିଙ୍କ ପାଖରେ ଅଛି। ଜାଲୋନରେ ଏସଡିଏମ ପଦରେ ମୁତୟନ ବେଳେ ଶିକ୍ଷକଙ୍କୁ ଅକର୍ମା, ଚୋର ଆଦି କହିଥିଲେ ରିଙ୍କୁ। ନାଏବ ନାଜିର ଭାନୁମତି ମେ ୨୭ରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ମାନସିକ ଉତ୍ପୀଡ଼ନ ଦିଆଯାଇଛି। ଆରଆଇ ସଂଘ ବି ସମସ୍ତଙ୍କ ଆଗରେ ଅପମାନିତ କରିବାର ଆରୋପ ରହିଛି।
