IPS Ankita Sharma:ସାଢ଼ି ପିନ୍ଧି AK-47ରୁ ଫାୟାରିଂ, ଭାଇରାଲ୍ IPS ଅଙ୍କିତା ଶର୍ମା
ଦଶହରାରେ ନୀଳ ଶାଢ଼ି, କାନ୍ଧରେ AK-47 ଏବଂ ଆକାଶକୁ ଗୁଳି ଚଳାଉଥିବା ଜଣେ ମହିଳା ପୋଲିସ ଅଧିକାରୀ। ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାରେ ଅଙ୍କିତା ଶର୍ମା। କିନ୍ତୁ ତାଙ୍କ ସଫଳତା ପଛର କାହାଣୀ ଆହୁରି ପ୍ରେରଣାଦାୟକ।
ଛତିଶଗଡ଼:ଛତିଶଗଡ଼ର IPS ଅଧିକାରୀ ଅଙ୍କିତା ଶର୍ମା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ। ଦଶହରା ଅବସରରେ ଶସ୍ତ୍ର ପୂଜା ସମୟରେ ନୀଳ ଶାଢ଼ି ପିନ୍ଧି AK-47 ରାଇଫଲ୍ରୁ ଫାୟାରିଂ କରୁଥିବା ତାଙ୍କ ଭିଡିଓ ଭାଇରାଲ୍ ହୋଇଛି। ଏହି କାର୍ଯ୍ୟକ୍ରମ ଛତିଶଗଡ଼ର ରାଜନନ୍ଦଗାଓଁ ପୋଲିସ ଲାଇନ୍ରେ ଆୟୋଜିତ ହୋଇଥିଲା। ତାଙ୍କ ଦୃଢ଼ ଅନ୍ଦାଜକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ସଂଘର୍ଷମୟ ଜୀବନଯାତ୍ରା ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଛତିଶଗଡ଼ର ଦୁର୍ଗରେ ଜନ୍ମିତ ଅଙ୍କିତାଙ୍କ ପାଠପଢ଼ା ସେଠାରେ ହିଁ ହୋଇଥିଲା। ସ୍କୁଲ୍ ଜୀବନରେ ସେ ନିଜକୁ ଜଣେ ସାଧାରଣ ଛାତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି। ପଞ୍ଚମ ଶ୍ରେଣୀରେ ଗଣିତରେ ୫୦ରୁ ମାତ୍ର ୫ ମାର୍କ ପାଇଥିବାରୁ ତାଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ପାଠପଢ଼ାରେ ଉନ୍ନତି କରିଥିଲେ। ଦଶମ ଶ୍ରେଣୀରେ ୯୨ ପ୍ରତିଶତ ଏବଂ ଦ୍ୱାଦଶରେ ୯୦ ପ୍ରତିଶତ ନମ୍ବର ରଖିଥିଲେ। ଗ୍ରାଜୁଏସନ୍ ପରେ ଅଙ୍କିତା MBA ପଢ଼ିବା ଆରମ୍ଭ କରିଥିଲେ। ହେଲେ ସିଭିଲ୍ ସର୍ଭିସ୍ରେ ଯୋଗଦେବାର ସ୍ୱପ୍ନ ପୂରଣ କରିବାକୁ ସେ ଏହାକୁ ଅଧାରୁ ଛାଡ଼ି UPSC ପ୍ରସ୍ତୁତିରେ ଲାଗିଥିଲେ। ପ୍ରଥମ ପ୍ରୟାସରେ ପ୍ରିଲିମ୍ସ ଓ ମେନ୍ସ ପାସ୍ କରିଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିଲେ। ଦ୍ୱିତୀୟ ପ୍ରୟାସରେ ପ୍ରିଲିମ୍ସ ପାସ୍ କରିପାରିନଥିଲେ। ଶେଷରେ ୨୦୧୭ରେ ତୃତୀୟ ପ୍ରୟାସରେ ସର୍ବଭାରତୀୟ ରାଙ୍କ୍ ୨୦୩ ହାସଲ କରି IPS ହୋଇଥିଲେ। ସେ ୨୦୧୮ ବ୍ୟାଚ୍ର ଛତିଶଗଡ଼ କ୍ୟାଡର ଅଧିକାରୀ। କଠିନ ପୋଲିସିଂ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ପାଇଁ ମଧ୍ୟ ସେ ପରିଚିତ। ତାଙ୍କୁ ‘ଲେଡି ସିଂଘମ୍’ ବୋଲି କୁହାଯାଏ।
