Grand Visarjan at Debigada: ଆଖିରେ ଲୁହ, ହୃଦୟରେ ଭକ୍ତି… ମେଲାଣି ନେଉଛନ୍ତି ମା’ ଦୁର୍ଗା
ଢୋଲ, ମହୁରୀର ତାଳେ ଦୁଲୁକୁଛି ଦେବୀଗଡ଼ା। ଭାବପୂର୍ଣ୍ଣ ପରିବେଶରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ। ଏଯାବତ୍ ବିସର୍ଜିତ ହେଲାଣି ୩୦ ମେଢ଼।
ମା’ ଦୁର୍ଗାଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି କଟକବାସୀ। ଦେବୀଗଡ଼ାରେ ଚାଲିଛି ମା’ଙ୍କ ଭସାଣି ଉତ୍ସବ। ଢୋଲ, ମହୁରୀ ଓ ବାଦ୍ୟର ତାଳେ ତାଳେ ଶ୍ରଦ୍ଧାଳୁମାନେ ମା’ଙ୍କୁ ମେଲାଣି ଦେଉଥିବା ବେଳେ ଏଯାବତ୍ ୩୦ଟି ମେଢ଼ ବିସର୍ଜିତ ହୋଇଥିବା ଜଣାପଡ଼ିଛି।ଭସାଣି ଉତ୍ସବକୁ ଶୃଙ୍ଖଳିତ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ୩ଟି କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଜଳ ପ୍ରଦୂଷଣ ରୋକିବା ସହ ବିସର୍ଜନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ଉଦ୍ୟମ କରାଯାଉଛି।ବିସର୍ଜନ ପରେ କ୍ରେନ୍ ସାହାଯ୍ୟରେ ପୋଖରୀରୁ ମୂର୍ତ୍ତିର ଅବଶିଷ୍ଟାଂଶ ଉଠାଯାଉଛି। ଏଥିସହ ପୋଖରୀକୁ ସଫା କରାଯାଇ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି।
ଅନ୍ୟପକ୍ଷରେ, ଭସାଣି ଉତ୍ସବରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ଦେବୀଗଡ଼ାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସୁରୁଖୁରୁରେ ବିସର୍ଜନ କାର୍ଯ୍ୟ ସମ୍ପନ୍ନ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।
