BIHAR WEDDING FEAST:ଅନନ୍ତ ସିଂଙ୍କ ଝିଅ ବାହାଘର ଭୋଜିରେ ଉଡ଼ିଲା ଖଲି
ବାହାଘର ଭୋଜିରେ ଏମିତି ଭିଡ଼ ଯେ, ଖାଇବା ପାଇଁ ମିଳିଲାନି ପତ୍ର। ଶେଷରେ ଗ୍ଲାସ୍ ଓ କାର୍ଟନରେ ଖାଇଲେ ଲୋକେ। ଏପରିକି ଘୋଡ଼ାଦୌଡ଼ ଦେଖିବାକୁ ୩୩ ହଜାର ଭୋଲ୍ଟର ବିଦ୍ୟୁତ୍ ଟାୱାର ଉପରେ ଚଢ଼ିଗଲେ ଦର୍ଶକ। ବିହାରର ବାହୁବଳୀ ନେତା ଅନନ୍ତ ସିଂଙ୍କ ଝିଅ ଶିବାଙ୍ଗୀଙ୍କ ବାହାଘର ଭୋଜିର ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍।

ବିହାର:ବାହାଘର ଭୋଜିରେ ଜନସମୁଦ୍ର। ଖାଇବା ପାଇଁ ଠେଲାପେଲା, ପତ୍ର ପାଇଁ ଟଣାଓଟରା। ଏପରିକି ଭୋଜି ଖାଇବାକୁ ଆସି ଗ୍ଲାସ୍ ଓ କାର୍ଟନରେ ଖାଦ୍ୟ ନେଇ ଖାଇଲେ ଲୋକେ। ବିହାରର ମୋକାମା ବିଧାୟକ ଅନନ୍ତ ସିଂଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଭୋଜିର ଏଭଳି ଦୃଶ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି। ବିହାରର ନଦୱାନ ଗାଁରେ ନଭେମ୍ବର ୨୫ରେ ଆୟୋଜିତ ହୋଇଥିଲା ଏହି ଭବ୍ୟ ବିବାହ ଉତ୍ସବ। ଅନନ୍ତ ସିଂଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ମଧ୍ୟ ଖୋଲା ନିମନ୍ତ୍ରଣ ଦିଆଯାଇଥିଲା। ଫଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଖାଦ୍ୟ ପରସିବା ସମୟରେ ଏତେ ଭିଡ଼ ହୋଇଥିଲା ଯେ, ପରିସ୍ଥିତି ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା। କେଉଁଠି ପତ୍ର ପାଇଁ ଠେଲାପେଲା ତ ଆଉ କେଉଁଠି ଖାଦ୍ୟ ପାଇଁ ଟଣାଓଟରା। ପତ୍ର ସରିଯିବାରୁ କିଛି ଲୋକ ଗ୍ଲାସ୍ ଓ କାର୍ଟନରେ ଖାଦ୍ୟ ଖାଉଥିବାର ଭିଡିଓ ଭାଇରାଲ୍ ହୋଇଛି। କେବଳ ଭୋଜି ନୁହେଁ, ବିବାହ ଉତ୍ସବରେ ଆୟୋଜିତ ଘୋଡ଼ାଦୌଡ଼ ମଧ୍ୟ ଚର୍ଚ୍ଚାରେ ରହିଛି। ଘୋଡ଼ାଦୌଡ଼ ଦେଖିବାକୁ ଲୋକଙ୍କ ଭିଡ଼ ଏତେ ବଢ଼ିଯାଇଥିଲା ଯେ, କିଛି ଦର୍ଶକ ଗଛ ଓ ୩୩ ହଜାର ଭୋଲ୍ଟର ହାଇଟେନସନ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଯାଇଥିଲେ। ଭିଡ଼ ଯୋଗୁଁ ଘୋଡ଼ାଦୌଡ଼ର ଫାଇନାଲ୍ ରାଉଣ୍ଡକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହି ବିବାହ ଭୋଜିରେ ପ୍ରାୟ ୧୦ ଲକ୍ଷ ଲୋକ ପହଞ୍ଚିଥିବା ଦାବି କରାଯାଉଛି। ତେବେ ଏହି ସଂଖ୍ୟାର ସ୍ୱତନ୍ତ୍ର ପୁଷ୍ଟି ହୋଇନାହିଁ। ଏତେ ବଡ଼ ଆୟୋଜନ ଓ ଅସମ୍ଭାଳ ଭିଡ଼ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
