Bada Osha: ଆଜି ପବିତ୍ର ବଡ଼ଓଷା, ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
କାର୍ତ୍ତିକ ମାସର ଅନନ୍ୟ ପର୍ବ ବଡ଼ଓଷାର ମହତ୍ତ୍ୱ, ଧବଳେଶ୍ୱର ପୀଠର ସ୍ୱତନ୍ତ୍ର ପୂଜାବିଧି, ୧୦୮ ଗରା ଜଳରେ ସ୍ନାନ, ଜାଣନ୍ତୁ ଗଜମଣ୍ଡା ଭୋଗ ଓ ପୌରାଣିକ କାହାଣୀ।

ବ୍ଯୁରୋ: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଧାର୍ମିକ ପର୍ବ ହେଉଛି ବଡ଼ଓଷା। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଏହି ପ୍ରମୁଖ ଶୈବ ପର୍ବ ବଡ଼ଓଷା ପାଳନ କରାଯାଏ। ବିଶେଷକରି କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ। ଏହି ଦିନ ପ୍ରଭୁ ଧବଳେଶ୍ୱର ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ବଡ଼ଓଷା ଦିନ ଭୋରରୁ ପ୍ରଭୁ ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ଏହାପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୁଏ। ମହାଦେବଙ୍କ ନିକଟରେ ତରଣ ଓ ଗଜା ପିଠା ବା ଗଜାମଣ୍ଡା ଭୋଗ ଲାଗି କରାଯାଏ। ଅରୁଆ ଚାଉଳ ଚୂନାରେ ତିଆରି ଏହି ପିଠାରେ ନଡ଼ିଆ, ଗୁଡ଼ ଓ ଗୁଜୁରାତିର ପୁର ଦିଆଯାଏ।
ରହିଛି ପୌରାଣିକ ମହତ୍ତ୍ୱ
ପଦ୍ମପୁରାଣ ଅନୁସାରେ, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଦେବରାଜ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇ ସେ ଅଭିଶାପରୁ ମୁକ୍ତି ପାଇଥିବା ଲୋକକଥା ରହିଛି। ଅନ୍ୟ ଏକ କାହାଣୀ ଅନୁସାରେ, ରାଜା କ୍ରତୁଙ୍କ କୁଷ୍ଠରୋଗ ଦୂର କରିବା ପାଇଁ ରାଣୀ ହରପ୍ରିୟା ଧବଳେଶ୍ୱରଙ୍କ ନିକଟରେ ନିଷ୍ଠାର ସହ ବଡ଼ଓଷା ବ୍ରତ ପାଳନ କରିଥିଲେ। ମହାଦେବଙ୍କ କୃପାରୁ ରାଜା ରୋଗମୁକ୍ତ ହୋଇଥିବା ବିଶ୍ୱାସ କରାଯାଏ।
ଭକ୍ତି, ନିଷ୍ଠା ଓ ଆସ୍ଥାର ପ୍ରତୀକ ବଡ଼ଓଷା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ପରମ୍ପରା। ଏହି ଦିନ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
