ଶ୍ରୀକୃଷ୍ଣଙ୍କ ୧୬,୧୦୮ ବିବାହ ପଛରେ କ'ଣ ରହିଛି ରହସ୍ୟ?
କାହିଁକି ୧୬ ହଜାର ୧୦୮ ରାଣୀଙ୍କୁ ବିବାହ କରିଥିଲେ ଶ୍ରୀକୃଷ୍ଣ? ଜାଣନ୍ତୁ ଏହା ପଛରେ ଥିବା ଅଦ୍ଭୁତ ପୌରାଣିକ କଥା।

ବ୍ଯୁରୋ: ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଅପାର, ମହିମା ଅବର୍ଣ୍ଣନୀୟ। ତାଙ୍କ ଜୀବନର ପ୍ରତ୍ୟେକ ଘଟଣା ପଛରେ ରହିଛି ଏକ ଗଭୀର ଆଧ୍ୟାତ୍ମିକ ବାର୍ତ୍ତା। ସେହିପରି ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଶ୍ରୀକୃଷ୍ଣଙ୍କ ୧୬ ହଜାର ୧୦୮ ଜଣ ରାଣୀଙ୍କ ସହ ବିବାହ। କାହିଁକି ମୁରଲୀଧର ଏତେ ସଂଖ୍ୟକ ନାରୀଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିଲେ? ଏହା ପଛରେ ରହିଛି କରୁଣା, ନାରୀ ସମ୍ମାନ ଓ ଶରଣାଗତଙ୍କ ରକ୍ଷାର ଏକ ଅଦ୍ଭୁତ ପୌରାଣିକ କାହାଣୀ।

ନରକାସୁରର ଅତ୍ୟାଚାରରୁ ମୁକ୍ତି
ପୁରାଣ ଅନୁସାରେ, ନରକାସୁର ବା ଭୌମାସୁର ଥିଲା ଭୂଦେବୀଙ୍କ ପୁତ୍ର। କିନ୍ତୁ ଅସୁର ସଙ୍ଗତିରେ ପଡ଼ି ସେ ଅଧର୍ମର ପଥ ଆପଣାଇଥିଲା। ନିଜର ଶକ୍ତି ଓ ଅହଂକାର ବଳରେ ବିଭିନ୍ନ ରାଜ୍ୟରୁ ୧୬ ହଜାର ୧୦୦ ଜଣ ରାଜକୁମାରୀ ଓ ନାରୀଙ୍କୁ ଅପହରଣ କରି ବନ୍ଦୀ କରି ରଖିଥିଲା। ନରକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଭୂଦେବୀ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହୋଇଥିଲେ। ଏହାପରେ ଦେବୀ ସତ୍ୟଭାମାଙ୍କ ସହ ଗରୁଡ଼ ଉପରେ ଆରୋହଣ କରି ଶ୍ରୀକୃଷ୍ଣ ନରକାସୁର ବିରୋଧରେ ଯୁଦ୍ଧ କରିଥିଲେ। ଶେଷରେ ଅଧର୍ମର ପ୍ରତୀକ ନରକାସୁରର ବଧ ହୋଇଥିଲା ଏବଂ ବନ୍ଦୀ ଥିବା ୧୬ ହଜାର ୧୦୦ ନାରୀ ମୁକ୍ତ ହୋଇଥିଲେ।
କାହିଁକି ସମସ୍ତଙ୍କୁ ପତ୍ନୀ ଭାବେ ଗ୍ରହଣ କଲେ?
ମୁକ୍ତି ପାଇବା ପରେ ମଧ୍ୟ ସେହି ନାରୀମାନଙ୍କ ସମ୍ମୁଖରେ ଥିଲା ସାମାଜିକ ଅସ୍ୱୀକୃତିର ଭୟ। ସମାଜ ସେମାନଙ୍କୁ କିପରି ଗ୍ରହଣ କରିବ, ଏହି ଚିନ୍ତା ସେମାନଙ୍କୁ ଘାରିଥିଲା। ତେଣୁ ସେମାନେ ଶ୍ରୀକୃଷ୍ଣଙ୍କୁ ନିଜର ରକ୍ଷାକର୍ତ୍ତା ଭାବେ ଗ୍ରହଣ କରି ତାଙ୍କ ଶରଣରେ ସ୍ଥାନ ମାଗିଥିଲେ। ସେମାନଙ୍କ ଦୁଃଖ, ସମ୍ମାନ ଓ ମର୍ଯ୍ୟାଦାକୁ ବୁଝି ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିଲେ। ଏହି ଘଟଣାକୁ ଭଗବାନଙ୍କ ଅସୀମ କରୁଣା ଓ ଶରଣାଗତଙ୍କ ରକ୍ଷାର ଉଦାହରଣ ଭାବେ ଦେଖାଯାଏ।

କିଏ ଥିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟଭାର୍ଯ୍ୟା?
ଏହି ୧୬ ହଜାର ୧୦୦ ଜଣଙ୍କ ବ୍ୟତୀତ ଶ୍ରୀକୃଷ୍ଣଙ୍କର ଆଠଜଣ ପ୍ରମୁଖ ରାଣୀ ଥିଲେ। ସେମାନେ ହେଲେ ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଓ ଲକ୍ଷ୍ମଣା। ଏହି ଆଠଜଣଙ୍କୁ ଅଷ୍ଟଭାର୍ଯ୍ୟା କୁହାଯାଏ। ଏହିପରି ଶ୍ରୀକୃଷ୍ଣଙ୍କ ମୋଟ ରାଣୀଙ୍କ ସଂଖ୍ୟା ୧୬ ହଜାର ୧୦୮ ହୋଇଥିଲା। ପୁରାଣରେ ବର୍ଣ୍ଣିତ ଅଛି ଯେ, ଶ୍ରୀକୃଷ୍ଣ ନିଜକୁ ଅସଂଖ୍ୟ ରୂପରେ ବିସ୍ତାର କରି ପ୍ରତ୍ୟେକ ରାଣୀଙ୍କ ମହଲରେ ଏକାସାଙ୍ଗରେ ଉପସ୍ଥିତ ରହି ଗୃହସ୍ଥ ଜୀବନ ବିତାଉଥିଲେ। ଏହା ତାଙ୍କ ଦିବ୍ୟ ଶକ୍ତିର ପ୍ରତୀକ।
ପୂର୍ବଜନ୍ମ ସହ ମଧ୍ୟ ରହିଛି ସମ୍ପର୍କ
କେତେକ ପୌରାଣିକ ପରମ୍ପରା ଅନୁସାରେ, ଏହି ନାରୀମାନେ ପୂର୍ବଜନ୍ମରେ ଦଣ୍ଡକାରଣ୍ୟର ତପସ୍ୱୀ ଥିଲେ। ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଦିବ୍ୟ ରୂପ ଦର୍ଶନ କରି ସେମାନେ ତାଙ୍କୁ ସ୍ବାମୀ ଭାବେ ପାଇବାକୁ ଇଚ୍ଛା କରିଥିଲେ। ଏକପତ୍ନୀବ୍ରତ ଧାରଣ କରିଥିବା ଶ୍ରୀରାମ ସେମାନଙ୍କ ମନୋକାମନା ଦ୍ୱାପର ଯୁଗରେ ପୂରଣ ହେବ ବୋଲି ବର ଦେଇଥିଲେ ବୋଲି କେତେକ ଧାର୍ମିକ ଆଖ୍ୟାନରେ ଉଲ୍ଲେଖ ରହିଛି।
କରୁଣା ଓ ନାରୀ ସମ୍ମାନର ମହାନ ବାର୍ତ୍ତା
ଶ୍ରୀକୃଷ୍ଣଙ୍କ ୧୬ ହଜାର ୧୦୮ ବିବାହର କାହାଣୀ କେବଳ ଏକ ପୌରାଣିକ ଗାଥା ନୁହେଁ। ଏହା ଅସହାୟଙ୍କୁ ଆଶ୍ରୟ ଦେବା, ନାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ଏବଂ ଶରଣାଗତଙ୍କୁ କେବେ ନିରାଶ ନକରିବାର ମହାନ ଶିକ୍ଷା ପ୍ରଦାନ କରେ। ଏହି କାରଣରୁ ଯୁଗ ଯୁଗ ଧରି ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ଲୀଳା ଭକ୍ତମାନଙ୍କ ହୃଦୟରେ ଅମର ହୋଇ ରହିଛି।
