IAS Anya Transfer:ନବରଙ୍ଗପୁରରୁ ନୂଆପଡ଼ା- କାହା ଚାପରେ ଆଇଏଏସଙ୍କ ବଦଳିଲା ବଦଳି ଅର୍ଡର ?
ଏ ତମାମ ପ୍ରଶ୍ନ ଉଙ୍କିମାରୁଥିଲା ବେଳେ ପ୍ରକାଶ ପାଇଲା ସଂଶୋଧିତ ବଦଳି ଅର୍ଡର। ଆଉ ଅନ୍ୟାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ବେଳେ ମଧୁମିତାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଗଲା। ସଂଧ୍ୟା ସୁଦ୍ଧା ସୋସିଆଲ ମିଡିଆରେ ଅନ୍ୟାଙ୍କୁ ନେଇ ଜିଲ୍ଲାରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଆଉ ଅନ୍ୟା ନୁହେଁ, ମଧୁମିତା ଜିଲ୍ଲାପାଳ ହେଲେ ବୋଲି ପୋଷ୍ଟ ପରେ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

ସକାଳେ ନବରଙ୍ଗପୁର। ଅପରାହ୍ନରେ ନୂଆପଡ଼ା। ଜଣେ ମହିଳା ଆଇଏଏସଙ୍କ ବଦଳି ଅର୍ଡର କେମିତି ମାତ୍ର କେଇ ଘଣ୍ଟାରେ ବଦଳିଗଲା। ଯାହାକୁ ନେଇ ସବୁଠି ଚର୍ଚ୍ଚା। ଆମେ କହୁଛୁ ୨୦୧୯ ବ୍ୟାଚ ଆଇଏଏସ ଅନ୍ୟା ଦାସଙ୍କ କଥା। ସ୍ୱାସ୍ଥ୍ୟ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅନ୍ୟାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି ହେଲା ବୋଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରିଥିଲା ସକାଳେ। ଆଉ ୨୦୨୦ ବ୍ୟାଚର ଆଇଏଏସ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଗଲା ବୋଲି ବାହାରିଥିଲା ବିଜ୍ଞପ୍ତି। କିନ୍ତୁ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି ଅର୍ଡର ବାହାରିବା ମାତ୍ରେ ସେପଟେ ନବରଙ୍ଗପୁରରେ ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ଜୋରଦାର ଚର୍ଚ୍ଚା। କାରଣ ରାଜଧାନୀରେ ପୋଷ୍ଟିଂ ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାମ କରିଥିଲେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ତାହେଲେ ଅନ୍ୟାଙ୍କୁ ନବରଙ୍ଗପୁରରେ ପୁଣି ଥରେ ପୋଷ୍ଟିଂ ତା ପୁଣି ଜିଲ୍ଲାପାଳ ଭାବେ, ଏହାକୁ ନେଇ କାହିଁକି ତାହେଲେ ହୋଇଥିଲା ଏତେ ଚର୍ଚ୍ଚା। କଥା ପଡ଼ିଛି। ଦୁଇ ବର୍ଷ ତଳେ ଆଇଏଏସ ଅନ୍ୟା ଦାସ ବେଶ୍ ବିବାଦୀୟ ହୋଇପଡ଼ିଥିଲେ। ନବରଙ୍ଗପୁରରେ କାର୍ଯ୍ୟରତ ଥିଲା ବେଳେ ନୂଆ ବର୍ଷ ଦିନ ହକି ବିଶ୍ୱକପକୁ ସ୍ୱାଗତ ବେଳେ ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ସେ ମଞ୍ଚରୁ ଓହ୍ଲାଇଦେଇଥିଲେ। ହୁ ଆର ୟୁ ବୋଲି ପଚାରିଥିଲେ। ପ୍ରୋଟୋକଲର ପାଠ ପଢ଼ାଇ ଜିଲ୍ଲାପ୍ରଶାସନର ଅଧିକାରୀଙ୍କ ସହ କେମିତି ସ୍ଥାନୀୟ ପୌରପାଳିକାର ନିର୍ବାଚିତ ପ୍ରତିନିଧି ଏକାଠି ତାଙ୍କ ସହ ମଞ୍ଚ ସେୟାର କରିବେ ବୋଲି କହି ବିବାଦକୁ ଡାକି ଆଣିଥିଲେ। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଅପମାନକୁ ଗଣ୍ଠି କରିଥିଲା ବିଜେପି। ବିଜେଡି ସରକାରରେ ବ୍ୟୁରୋକ୍ରାଟଙ୍କୁ ଏତେ କ୍ଷମତା କରିଦିଆଯାଇଛି ଯେ, ଜଣେ ମହିଳା ଅଧିକାରୀ ଏଭଳି ଢଙ୍ଗରେ ନଗରପାଳଙ୍କୁ ଅସମ୍ମାନିତ ଓ ଅପମାନିତ କରିବକୁ ସାହାସ କଲେ କହି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ବିଜେପି ନେତା ଓ କର୍ମୀ। ଜିଲ୍ଲାପରିଷଦ ଅଫିସରେ ତାଲା ପକାଇଦେଇଥିଲେ। ୧୨ ଘଣ୍ଟିଆ ନବରଙ୍ଗପୁର ସହର ବନ୍ଦ ହେଲା। ଜିଲ୍ଲାପାଳଙ୍କ ଅଫିସ ଆଗରେ ବି ଧାରଣା ଦେଇଥିଲେ ବିଜେପି ନେତାଏ। ସେତେବେଳେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ବି ବିଜେପି ନେତାଙ୍କ ଆପତ୍ତି ଅଭିଯୋଗ ଶୁଣି ଧାରଣା ସ୍ଥଳରୁ ଅନ୍ୟାଙ୍କୁ ଫୋନ୍ କରି ଘଟଣା ବୁଝିଥିଲେ। ବିଜେପି ନେତାଏ ଅଡ଼ି ବସିଥିଲେ, ଧାରଣାସ୍ଥଳକୁ ଆସି ଅନ୍ୟା ନିଜର ଆଚରଣ ଲାଗି କ୍ଷମା ମାଗନ୍ତୁ। କିନ୍ତୁ ଜିଲ୍ଲାପାଳ ଯେତେବେଳେ ଫୋନ କଲେ, ଅନ୍ୟା କହିଲେ ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି। କି ଧାରଣାସ୍ଥଳକୁ ଯିବେନି। ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ଧାରଣାରୁ ଓହରିବା ସତ୍ତ୍ୱେ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସହ ୧୫ ଦିନ ଭିତରେ ଅନ୍ୟାଙ୍କୁ ବଦଳି ଲାଗି ଅଲଟିମେଟମ ଦେଇଥିଲା ଦଳ। ଉମରକୋଟ ବିଧାୟକ ତଥା ଏବେକାର କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ଅନ୍ୟାଙ୍କ ଏଭଳି ଆଚରଣକୁ ନେଇ ସେତେବେଳେ କଡ଼ା ସମାଲୋଚନା କରିଥିଲେ। ଲୋକପ୍ରତିନିଧିଙ୍କୁ ସମ୍ମାନ ବିଜେଡି ସରକାରରେ ମିଳିପାରୁନି ବୋଲି କହିଥିଲେ ନିତ୍ୟାନନ୍ଦ। ନିଜେ ସେ ଧାରଣାରେ ବସିବା ସହ ବନ୍ଦ ପାଳନରେ ସାମିଲ ହୋଇଥିଲେ। ୨୪ରେ ନବରଙ୍ଗପୁରର ୪ ନିର୍ବାଚନମଣ୍ଡଳୀରୁ ଉମରକୋଟକୁ ଛାଡ଼ିଦେଲେ ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁରେ ବିଜେଡିର ବିଧାୟକ ଥିଲେ। ଆଉ ୨୪ ନିର୍ବାଚନ ପରେ ଚିତ୍ର ବଦଳିସାରିଛି। କେବଳ ଡାବୁଗାଁକୁ ଛାଡ଼ିଦେଲେ ବାକି ୩ଟିରେ ବିଜେପି ବିଧାୟକ। ରୋଚକ କଥା ହେଉଛି। ଯେଉଁ ଅନ୍ୟା ଦାସଙ୍କୁ ନେଇ ଏତେ ବିବାଦ ଉଠିଥିଲା। ସେ ଅନ୍ୟାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ସରକାର ବଦଳି କରିବା ପରେ ଏହାକୁ ନେଇ ବିଜେପି ନେତାଙ୍କ ପତିଆରା ଓ ପାରିଲାପଣିଆ ପ୍ରତି ପ୍ରଶ୍ନ ଉଠିଥିଲା। କଥା ପଡ଼ିଛି। ଥାର୍ଡ ଫ୍ଲୋରକୁ କିଏ ଫୋନ୍ କଲା। କାହା ଚାପରେ ପୁଣି ଅନ୍ୟା ବଦଳିଲେ। ଅନ୍ୟା ନବରଙ୍ଗପୁର ଜିଲ୍ଲାପାଳ ଭାବେ ଜଏନ କରିଥିଲେ କଅଣ ସହଜରେ କାମ କରିପାରିଥାଆନ୍ତେ କି। ତାଙ୍କୁ ସ୍ଥାନୀୟ ନେତାଙ୍କ ସହଯୋଗ, ସମନ୍ୱୟ ଓ ସମର୍ଥନ ମିଳିଥାଆନ୍ତା କି। ସେଥିଲାଗି ତ ଏ ତମାମ ପ୍ରଶ୍ନ ଉଙ୍କିମାରୁଥିଲା ବେଳେ ପ୍ରକାଶ ପାଇଲା ସଂଶୋଧିତ ବଦଳି ଅର୍ଡର। ଆଉ ଅନ୍ୟାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ବେଳେ ମଧୁମିତାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଗଲା। ସଂଧ୍ୟା ସୁଦ୍ଧା ସୋସିଆଲ ମିଡିଆରେ ଅନ୍ୟାଙ୍କୁ ନେଇ ଜିଲ୍ଲାରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଆଉ ଅନ୍ୟା ନୁହେଁ, ମଧୁମିତା ଜିଲ୍ଲାପାଳ ହେଲେ ବୋଲି ପୋଷ୍ଟ ପରେ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଆଉ ନୂଆ ବଦଳି ଅର୍ଡର ଦେଖିବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଥିଲା।
