Husband Shoots Wife: ବଜାରରେ ପତ୍ନୀ ଓ ଯୁବକଙ୍କୁ ଗୁଳି କଲେ ସ୍ୱାମୀ
ଫିରୋଜାବାଦର କୋଟଲା ଚୁଙ୍ଗି ଅଞ୍ଚଳରେ, ଜଣେ ସ୍ୱାମୀ ନିଜ ସ୍ତ୍ରୀ ଓ ଜଣେ ଯୁବକଙ୍କୁ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖି ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ କଥା କଟାକଟି ମଧ୍ୟରେ ହଠାତ୍ ରିଭଲଭରରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ପତ୍ନୀ ଓ ଯୁବକ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରିଥିଲା।
ଫିରୋଜାବାଦ:ମଙ୍ଗଳବାର ରାତିରେ ଫିରୋଜାବାଦର ଏକ ବଜାର ମଝିରେ ହଠାତ୍ ଗୁଳିଚାଳନା ଘଟଣାକୁ ନେଇ ଆତଙ୍କ ଖେଳିଯାଇଥିଲା। ମଙ୍ଗଳବାର ରାତିରେ କୋଟଲା ଚୁଙ୍ଗି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖି ଉତ୍କ୍ଷିପ୍ତ ହୋଇପଡ଼ିଥିଲେ ସ୍ୱାମୀ। ଏକ ଝଗଡା ପରେ ସେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ବ୍ୟବହାର କରି ପତ୍ନୀ ଓ ଉକ୍ତ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ। ପତ୍ନୀ ସିପ୍ରା ସହ ଋଷଭର ବିବାଦ ଚାଲିଥିଲା। ସେଥିଲାଗି ୩ ବର୍ଷ ହେଲା ଗୁଞ୍ଜନ ଏନକ୍ଲେଭସ୍ଥିତ ମାଆ ଘରେ ରହୁଥିଲେ ସିପ୍ରା। କିନ୍ତୁ କିଛି ମାସ ତଳେ ପୁଣି ଶ୍ୱଶୁର ଘରକୁ ଫେରିଥିଲେ ସିପ୍ରା। ମଙ୍ଗଳବାର ରାତି ୯ଟାରେ ଓକିଲଙ୍କୁ ଭେଟିବାକୁ ଯାଉଛି କହି ଘରୁ ବାହାରିଥିଲେ ସିପ୍ରା। ସନ୍ଦେହ ହେବାରୁ ନିଜର ୧୦ ବର୍ଷ ଓ ୮ ବର୍ଷର ଦୁଇ ପୁଅଙ୍କୁ ଧରି ବାଇକରେ ପିଛା କରିଥିଲା ଋଷଭ। ଋଷଭ ଦେଖିଲା ଯେ, ସିପ୍ରା ସନି ଠାକୁରର ଇଣ୍ଚରନେଟ ସର୍ଭିସ ଦୋକାନରେ ପହଞ୍ଚିଥିଲା। ଭିତରୁ କବାଟ ବନ୍ଦ ଥିଲା ଓ ଅନ୍ଧାର ଥିଲା। କବାଟ ବାଡ଼େଇବାରୁ ସନି ବାହାରକୁ ଆସିଥିଲା। ଆଉ ଭିତରକୁ ଯାଇ ଲାଇଟ ଜଳାଇଥିଲା ଋଷଭ। ଦେଖିଲା ଯେ ସିପ୍ରା ଚୌକିରେ ବସିଛି। ଖଟରେ ମଦ ବୋତଲ ଓ ଏକ ଗ୍ଲାସ ରଖାଯାଇଥିଲା। ସନି ଆଗ ଦୋକାନ ଭିତରକୁ ପ୍ରବେଶ ଲାଗି ବିରୋଧ କରିବାରୁ ସାମାନ୍ୟ ହାତାହାତି ହୋଇଥିଲା। ଏହା ପରେ ନିଜର ଲାଇସେନ୍ସ ରିଭଲଭରରୁ ଫାୟାରିଂ କରିଥିଲା ଋଷଭ। ଦୁଇଟି ଗୁଳି ସନିକୁ ଲାଗିଥିଲା ବେଳେ ୪ଟି ଗୁଳି ସିପ୍ରାକୁ ଲାଗିଥିଲା। ଘଟଣାଟି ଥାନା ଉତ୍ତର ଅଞ୍ଚଳର ଡିଏଭି ଇଣ୍ଟର କଲେଜ ନିକଟରେ ଘଟିଥିବା ବେଳେ ଗୁଳି ଶବ୍ଦ ଶୁଣି ବଜାରରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ରିଭଲଭରଟିକୁ ଜବତ କରିଛି। ଫରେନସିକ ଟିମ୍ ମଧ୍ୟ ସେଠାରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଘଟଣାର ସମ୍ପୂର୍ଣ୍ଣ କ୍ରମ ବୁଝିବା ପାଇଁ ଆଖପାଖର CCTV ଫୁଟେଜ୍ ଯାଞ୍ଚ କରାଯାଉଛି।ପୁଲିସ ଅଭିଯୁକ୍ତ ଋଷଭଙ୍କୁ ଗିରଫ କରିଛି। ଜବତ ଅସ୍ତ୍ରକୁ ଫରେନସିକ ଯାଞ୍ଚ ପାଇଁ ପଠାଯାଉଥିବା ବେଳେ ପୋଲିସ୍ କହିଛି ଯେ ଘଟଣାର ମୂଳ କାରଣ ଏବଂ ବିବାଦ ସହ ଜଡ଼ିତ ପରିସ୍ଥିତିର ତଦନ୍ତ କରାଯାଉଛି। ତଦନ୍ତ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
