Husband Killed Wife:ଢେଙ୍କାନାଳରେ ବୀଭତ୍ସ ହତ୍ୟା, ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ମୃତ
ଘରୋଇ କଳହରୁ ଚରମ ପରିଣତି! ସ୍ୱାମୀଙ୍କ ନିର୍ଯାତନା ଯୋଗୁଁ ୬ ମାସ ହେଲା ବାପଘରେ ରହୁଥିଲେ ସସ୍ମିତା। ହେଲେ ଆଜି ଏକ ବଚସା ପରେ ତାଙ୍କ ଜୀବନ ଚାଲିଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ।
ଢେଙ୍କାନାଳ: ଘରୋଇ କଳହରୁ ହତ୍ୟାକାଣ୍ଡ! ସ୍ୱାମୀଙ୍କ ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମାଳପୁରା ଗାଁର ଶବର ସାହିରେ ଏହି ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ୪ ନମ୍ବର କଲୋନୀର ସସ୍ମିତା ଖଟୁଆ। ସସ୍ମିତା ମାଳପୁରା ଗାଁର ଶବର ସାହିରେ ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରୁଥିଲେ। ସୂଚନା ଅନୁଯାୟୀ, ସ୍ୱାମୀ ଲଳିତ ରଣାଙ୍କଠାରୁ ବାରମ୍ବାର ନିର୍ଯାତନା ମିଳୁଥିବାରୁ ସେ ଗତ ୬ ମାସ ହେଲା ମାଳପୁରାସ୍ଥିତ ନିଜ ବାପଘରେ ରହୁଥିଲେ। ତେବେ ଆଜି କୌଣସି କାରଣକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଲଳିତ ଏକ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛୁରାମାଡ଼ରେ ଗୁରୁତର ହୋଇପଡ଼ିଥିବା ସସ୍ମିତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟା ପଛର ପ୍ରକୃତ କାରଣ କ’ଣ ଏବଂ ଘଟଣାର ଅନ୍ୟାନ୍ୟ ଦିଗ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
