Chameli Ojha: ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି, ଅନାସ୍ଥା ପ୍ରସ୍ତାବ ନୋଟିସ ରଦ୍ଦ
କେନ୍ଦ୍ରାପଡ଼ା ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ନୋଟିସକୁ ରଦ୍ଦ କଲେ ଅଦାଲତ।
କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ଫଳରେ ଚାମେଲୀ ଓଝା ସରପଞ୍ଚ ପଦବୀରେ ରହିବେ। ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଚାମେଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଅଦାଲତ। ଚାମେଲୀ ଓଝାଙ୍କ ଅଭିଯୋଗ ଅନୁଯାୟୀ, ଅନାସ୍ଥା ବୈଠକ ପୂର୍ବରୁ ଆଇନ ଅନୁସାରେ ଆବଶ୍ୟକ ରିଜୋଲ୍ୟୁସନ, ରିକ୍ୟୁଜିସନ ଓ ନୋଟିସର ନକଲ ତାଙ୍କୁ ଦିଆଯାଇନଥିଲା। ଏହା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଏବଂ ସମ୍ପର୍କିତ ନିୟମାବଳୀର ଉଲ୍ଲଂଘନ ବୋଲି ସେ ଦର୍ଶାଇଥିଲେ। ଏହି ଆଧାରରେ ତାଙ୍କ ବିରୋଧରେ ଜାରି ଅନାସ୍ଥା ନୋଟିସ ଓ ପ୍ରକ୍ରିୟାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ। ମାମଲାର ଶୁଣାଣି ଅଗଷ୍ଟ ୧୦ ଓ ୧୧ ତାରିଖରେ ହୋଇଥିଲା।
ଅଗଷ୍ଟ ୧୧ରେ ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ଅଦାଲତ ମଧ୍ୟବର୍ତ୍ତୀ ଆଦେଶରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହୋଇପାରିବ, କିନ୍ତୁ ଅଦାଲତଙ୍କ ଅନୁମତି ବିନା ଫଳାଫଳ ପ୍ରକାଶ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଅନାସ୍ଥା ପ୍ରସ୍ତାବର ନୋଟିସ ଜାରି ଓ ବୈଠକ ଆୟୋଜନ ପ୍ରକ୍ରିୟାରେ ଆଇନଗତ ନିୟମ ଉଲ୍ଲଂଘନ ହୋଇଥିବା ପ୍ରସଙ୍ଗ ଉଠିଥିଲା। ଶେଷରେ ହାଇକୋର୍ଟ ଚାମେଲୀ ଓଝାଙ୍କ ଆବେଦନକୁ ଗ୍ରହଣ କରି ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସକୁ ରଦ୍ଦ କରିଛନ୍ତି। ଏହି ରାୟ ପରେ ତିଖିରି ପଞ୍ଚାୟତର ସରପଞ୍ଚ ପଦବୀକୁ ନେଇ ଚାଲିଥିବା ବିବାଦରେ ଚାମେଲୀ ଓଝାଙ୍କୁ ଆଶ୍ୱସ୍ତି ମିଳିଛି।
